ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଉପରେ ତୀକ୍ଷ୍ଣ ନଜର ରଖିବ ଡ୍ରୋନ୍
ଭୁବନେଶ୍ୱର: ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍ ମାଧ୍ୟମରେ ତଦାରଖ କରାଯିବ । ବିଶେଷକରି ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା(ପିଏମ୍କେଏସ୍ୱାଇ)ର ତ୍ୱରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ(ଏଆଇବିପି) ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ନିୟମିତ ଡ୍ରୋନ୍ ସର୍ଭେ କରିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ଅନୁ ସଚିବ ଆରତୀ ମଲ୍ଲିକ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ସେ ଦର୍ଶାଇଛନ୍ତି, ଡ୍ରୋନ୍ ବ୍ୟବହାର ଦ୍ୱାରା ପ୍ରକଳ୍ପ ସ୍ଥଳର ବାସ୍ତବ ସ୍ଥିତି, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ କାମର ଗୁଣବତ୍ତା ଯାଞ୍ଚ କରାଯାଇପାରିବ। କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ପରାମର୍ଶକ୍ରମେ ରାଜ୍ୟ ଜଳସମ୍ପଦ ବିଭାଗ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି।
ସେ ଦର୍ଶାଇଛନ୍ତି, କେନ୍ଦ୍ର ସରକାର ପ୍ରକଳ୍ପଗୁଡ଼ିକର ନିୟମିତ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ପ୍ରକଳ୍ପ ସମ୍ପର୍କିତ ଭୌଗୋଳିକ ଅବସ୍ଥିତି ସହ ସଂଲଗ୍ନ ଫଟୋ ଓ ଭିଡିଓ ରେକର୍ଡ ରଖାଯାଇପାରିବ। ଏଥିସହ ନିର୍ମାଣ କାର୍ଯ୍ୟର ବାସ୍ତବ ସ୍ଥିତିକୁ ନିରୀକ୍ଷଣ କରାଯିବା ସହ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଅଗ୍ରଗତି ରିପୋର୍ଟର ସତ୍ୟତା ଯାଞ୍ଚ, କାର୍ଯ୍ୟରେ ଦେଖାଦେଉଥିବା ବାଧା ଚିହ୍ନଟ ହୋଇପାରିବ। ବିଶେଷକରି ପ୍ରକଳ୍ପ କାର୍ଯ୍ୟ ନିର୍ମାଣର ମାନ ଯାଞ୍ଚ କରିବାରେ ସହଜସାଧ୍ୟ ହେବ। ଫଳରେ କେଉଁଠି କାର୍ଯ୍ୟ ମନ୍ଥର ଗତିରେ ହେଉଛି, କେଉଁଠି ବାଧା ରହିଛି ଏବଂ କେଉଁଠି ଗୁଣବତ୍ତା ନେଇ ସମସ୍ୟା ରହିଛି, ତାହା ଜାଣିବା ସମ୍ଭବ ହୋଇପାରିବ। ବିଭାଗ ପକ୍ଷରୁ ଡ୍ରୋନ୍ ସର୍ଭେ ରିପୋର୍ଟ ସହ ଭୌଗୋଳିକ ସ୍ଥାନ ସୂଚିତ ଫଟୋ, ଭିଡିଓ ଏବଂ ନିଆଯାଇଥିବା ପଦକ୍ଷେପର ବିବରଣୀ ଦାଖଲ କରିବାକୁ କୁହାଯାଇଛି। ଆରତୀ ପତ୍ରରେ ଉଲ୍ଲେଖ କରିଛନ୍ତି, ଏହି ରିପୋର୍ଟଗୁଡ଼ିକୁ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ପଠାଯିବ। ଏହି ବ୍ୟବସ୍ଥା ଲାଗୁ ହେଲେ ଜଳସେଚନ ପ୍ରକଳ୍ପର ନିରୀକ୍ଷଣ କେବଳ କାଗଜପତ୍ର ଓ ଦାଖଲ ହେଉଥିବା ରିପୋର୍ଟ ମଧ୍ୟରେ ସୀମିତ ନ ରହି ପ୍ରକଳ୍ପସ୍ଥଳର ବାସ୍ତବ ଚିତ୍ର ଆଧାରରେ ହୋଇପାରିବ। ଏହା ପ୍ରକଳ୍ପର ଗୁଣବତ୍ତା ଓ କାର୍ଯ୍ୟାନ୍ବୟନର ଦକ୍ଷତା ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି।
Powered by Froala Editor