ବର୍ଷା: ୧୩ ଜିଲାକୁ ୟେଲୋ ୱାର୍ନିଂ ଜାରି
ଭୁବନେଶ୍ୱର: ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍ ଲାଇନ୍ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ ସକାଳେ ଖରାତାତି ସହ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ଝଡ଼ବର୍ଷା ଆରମ୍ଭ ହୋଇଯାଉଛି। ଶନିବାର ୧୬ଟି ସ୍ଥାନରେ ଦିନ ତାପମାତ୍ରା ୩୪ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିବାବେଳେ ୩୬.୨ ଡିଗ୍ରୀ ତାପମାତ୍ରା ସହିତ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ସେହିଭଳି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ହୋଇଥିଲା। ରବିବାର ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୩ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିୟମିତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଆଗକୁ ଦୁର୍ଗାପୂଜା ଥିବାବେଳେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସୂଚନାନୁସାରେ, ଥାଇଲାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ। ଏହା ପ୍ରଭାବରେ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
Powered by Froala Editor