ଦାରିଙ୍ଗବାଡ଼ିରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି ଶୀତର ଆଗମନ
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା ଥଣ୍ଡା ଅନୁଭୂତ ହେଉଥିବା ବେଳେ ଗୁରୁବାର ସନ୍ଧ୍ୟାଠାରୁ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ୁଥିବା ଜଣାପଡ଼ିଛି। ଅନ୍ୟପଟେ ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଉଛି।
ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନବେଳେ ପ୍ରଚଣ୍ଡ ଖରା ସହ ଶୁଖିଲା ପାଗ ରହୁଛି। ତେବେ ସନ୍ଧ୍ୟା ନଇଁବା ପରେ ପାଗରେ ପରିବର୍ତ୍ତନ ଅନୁଭୂତ ହେଉଛି। ଅଞ୍ଚଳରେ କୁହୁଡ଼ିର ପ୍ରଭାବ ମଧ୍ୟ ଧୀରେ ଧୀରେ ବଢ଼ୁଥିବା ଦେଖାଯାଉଛି। ଘନ କୁହୁଡ଼ି ଯୋଗୁ ରାସ୍ତାରେ ଦୃଶ୍ୟମାନତା ହ୍ରାସ ପାଉଥିବାରୁ ଗାଡ଼ି ଚାଳକମାନଙ୍କୁ ଯାତାୟାତ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଗାଡ଼ି ଚାଳକମାନେ ସତର୍କତାର ସହ ଯାତାୟାତ କରିବା ଆବଶ୍ୟକ।
ଏବେ ପାର୍ବଣ ଋତୁ ଚାଲିଥିବାରୁ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ଧୀରେ ଧୀରେ ବଢ଼ୁଛି। ଶୀତର ଆଗମନ ସହ ଏଠାକାର ପ୍ରାକୃତିକ ପରିବେଶ ଓ କୁହୁଡ଼ିଭରା ସକାଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ଆଗାମୀ ଦିନରେ ଥଣ୍ଡାର ପ୍ରକୋପ ବଢ଼ିଲେ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ଭିଡ଼ ଆହୁରି ବଢ଼ିବାର ସମ୍ଭାବନା ରହିଛି।
Powered by Froala Editor