ଏସିବିସିଙ୍କୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ, ଜାଣନ୍ତୁ କଣ?
ଭୁବନେଶ୍ୱର: ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (SEBC)ଙ୍କୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏସିବିସି ବର୍ଗର ସାମାଜିକ, ଶିକ୍ଷାଗତ ଓ ରାଜନୈତିକ ସ୍ଥିତିର ଅନୁଧ୍ୟାନ ପାଇଁ ସରକାର ଏକ କମିଶନ ଗଠନ କରିଛନ୍ତି। ଏହି କମିଶନ ଏସିବିସି ବର୍ଗର ବିଭିନ୍ନ ଦିଗ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କମିଶନ ଗଠନ କରାଯାଇଛି। ଅବସରପ୍ରାପ୍ତ IAS ଅଧିକାରୀ ବିଜୟ କୁମାର ପୃଷ୍ଟି କମିଶନର ସଦସ୍ୟ ଭାବେ ରହିଛନ୍ତି। ସେହିପରି ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ମିଶ୍ର ସଦସ୍ୟ-ସଚିବ ଭାବେ ଦାୟିତ୍ୱ ତୁଲାଇବେ। କମିଶନ ପକ୍ଷରୁ ଏସିବିସି ବର୍ଗର ଲୋକଙ୍କ ରାଜନୈତିକ ପ୍ରତିନିଧିତ୍ୱର ସ୍ଥିତି ମଧ୍ୟ ଅନୁଧ୍ୟାନ କରାଯିବ। ବିଭିନ୍ନ ସ୍ୱାୟତ୍ତ ଶାସନ ଅଞ୍ଚଳରେ ଏସିବିସି ବର୍ଗର ଜନସଂଖ୍ୟା କେତେ ରହିଛି ଏବଂ ତାହାର ଅନୁପାତରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ କେତେ ରହିଛି, ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ।କମିଶନ ଏସିବିସି ବର୍ଗର ସାମାଜିକ ଓ ଶିକ୍ଷାଗତ ପଛୁଆପଣ ସହିତ ରାଜନୈତିକ ଭାବେ ସେମାନେ କେତେ ପଛୁଆ ଅଛନ୍ତି, ତାହାର ମଧ୍ୟ ଅନୁଧ୍ୟାନ କରିବ। ଏହା ସହ ବିଭିନ୍ନ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ସେମାନଙ୍କ ଭାଗିଦାରି ଓ ପ୍ରତିନିଧିତ୍ୱର ସ୍ଥିତିକୁ ମଧ୍ୟ ଅନୁଶୀଳନ କରାଯିବ।
Powered by Froala Editor