ବନ୍ୟାରେ ୮ ଜିଲାର ୭୪,୭୮୬ ଲୋକ ପ୍ରଭାବିତ
ଭୁବନେଶ୍ୱର : ଲଗାଣ ବର୍ଷା ଏବଂ ବନ୍ୟାରେ ୮ ଜିଲାର ୭୪,୭୮୬ ଲୋକ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ନବରଙ୍ଗପୁର, ଯାଜପୁର, ଭଦ୍ରକ, ସମ୍ବଲପୁର, ବରଗଡ଼, କନ୍ଧମାଳ ଏବଂ ଜଗତସିଂହପୁର ଜିଲାର ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ସମ୍ପୃକ୍ତ ଜିଲା ପ୍ରଶାସନଗୁଡ଼ିକ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହସ୍ତଗତ ସୂଚନାନୁଯାୟୀ, ବାଲେଶ୍ୱରରେ ୬ଟି ବ୍ଲକ୍, ୭୨ଟି ପଞ୍ଚାୟତ ଏବଂ ୪୭୯ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ମୋଟ ୪୮,୫୬୦ ଜଣ ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରୁ ୭,୪୫୨ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୫ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। ନବରଙ୍ଗପୁରରେ ଗୋଟିଏ ବ୍ଲକ୍, ୨ଟି ପଞ୍ଚାୟତ ଏବଂ ୨ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୮୫ଜଣ ପ୍ରଭାବିତ ହୋଇଥିବା ବେଳେ ୨ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି ଏବଂ ପ୍ରଭାବିତ ୮୫ ଜଣଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଯାଜପୁରରେ ୨ଟି ବ୍ଲକ୍, ୧୨ଟି ପଞ୍ଚାୟତ ଏବଂ ୩୬ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୫,୦୫୯ ଜଣ ପ୍ରଭାବିତ ହୋଇଥିବା ବେଳେ ୩,୮୭୬ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୧୯ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। ଭଦ୍ରକରେ ୫ଟି ବ୍ଲକ୍, ୫୭ଟି ପଞ୍ଚାୟତ ଏବଂ ୧୭୨ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧୮,୬୯୧ଜଣ ପ୍ରଭାବିତ ହୋଇଥିବା ବେଳେ ପ୍ରଭାବିତ ପରିବାରଗୁଡ଼ିକୁ ଖାଦ୍ୟ ଓ ଆବଶ୍ୟକ ରିଲିଫ୍ ସହାୟତା ଯୋଗାଇ ଦିଆଯାଉଛି। ସମ୍ବଲପୁରରେ ଗୋଟିଏ ସହରାଞ୍ଚଳ ଏବଂ ୨ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୨୧୫ ଜଣ ପ୍ରଭାବିତ ହୋଇଥିବା ବେଳେ ୯୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୩ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। ବରଗଡ଼ରେ ୧ଟି ବ୍ଲକ୍, ୨ଟି ପଞ୍ଚାୟତ ଏବଂ ୪ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୯୭୮ଜଣ ପ୍ରଭାବିତ ହୋଇଥିବା ବେଳେ ସମସ୍ତ ୯୭୮ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୪ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। କନ୍ଧମାଳରେ ଗୋଟିଏ ବ୍ଲକ୍, ୨ଟି ପଞ୍ଚାୟତ ଏବଂ ୨ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୮ଜଣ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଜଗତସିଂହପୁରରେ ୨ଟି ବ୍ଲକ୍, ୬ଟି ପଞ୍ଚାୟତ ଏବଂ ୮ଟି ଗ୍ରାମ ପ୍ରଭାବିତ ହୋଇଛି। ମୋଟ ୧,୧୮୮ ଜଣ ପ୍ରଭାବିତ ହୋଇଥିବା ବେଳେ ୮୨୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ୬ଟି ରିଲିଫ୍ କ୍ୟାମ୍ପ କାର୍ଯ୍ୟକ୍ଷମ ରହିଛି। ପ୍ରଭାବିତ ଜିଲାଗୁଡ଼ିକରେ ଗୋଖାଦ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗୋଖାଦ୍ୟ ଯୋଗାଣ ମଧ୍ୟ ସୁନିଶ୍ଚିତ କରାଯାଇଛି। ସମୁଦାୟ ୯୦୭.୦୪ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି।
ରାଜ୍ୟର ପ୍ରସ୍ତୁତି ଓ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ଅଂଶ ଭାବେ ବର୍ତ୍ତମାନ ୩୬ଟି ଓଡ୍ରାଫ୍ ଏବଂ ୭ଟି ଏନ୍ଡିଆର୍ଏଫ୍ ସମେତ ମୋଟ ୪୩ଟି ଟିମ୍ ନିୟୋଜିତ ଅଛନ୍ତି। ବାଲେଶ୍ୱରରେ ୧୪ଟି, ଭଦ୍ରକରେ ୯ଟି, କୋରାପୁଟରେ ୪ଟି, ଯାଜପୁରରେ ୪ଟି, ଜଗତସିଂହପୁରରେ ୩ଟି ଏବଂ ନବରଙ୍ଗପୁରରେ ୨ଟି ଟିମ୍ ନିୟୋଜିତ ଅଛନ୍ତି।
Powered by Froala Editor