ଅର୍ଣ୍ଣବର ପ୍ରଭାବ: ମାଲକାନଗିରିରେ ତୁହାକୁ ତୁହା ବର୍ଷା
ମାଲକାନଗିରି: ଅର୍ଣ୍ଣବର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପାଗ ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ଗତକାଲି ଠାରୁ ଲଗାତାର ତୁହାକୁ ତୁହା ବର୍ଷା ଜିଲ୍ଲାବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଅବିରତ ବର୍ଷା ଯୋଗୁଁଁ ଜିଲ୍ଲାର ବିଭିନ୍ନ ନଦୀ, ନାଳ ଓ ଜଳାଶୟରେ ଜଳସ୍ତର ବଢ଼ିବାରେ ଲାଗିଛି। ଅନେକ ତଳିଆ ଅଞ୍ଚଳରେ ପାଣି ପଶିଥିବା ବେଳେ ରାଜପଥ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି।
ବର୍ଷାର ସବୁଠାରୁ ବଡ଼ ପ୍ରଭାବ ଦେଖିବାକୁ ମିଳିଛି ଜାତୀୟ ରାଜପଥ ୩୨୬ ଉପରେ। ମାଲକାନଗିରିରୁ ହାଇଦ୍ରାବାଦ ଓ ତେଲଙ୍ଗାନା ଦିଗକୁ ଯାଉଥିବା ଏହି ରାଜପଥର ପୋଟେରୁ ପୋଲ ଉପରେ ପ୍ରାୟ ୪ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।
କେବଳ ପୋଟେରୁ ନୁହେଁ, କାଲିମେଳା ବ୍ଲକ ଅନ୍ତର୍ଗତ କଙ୍ଗୁରୁକୋଣ୍ଡା ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। ଦୁଇଟି ପ୍ରମୁଖ ପୋଲ ଉପରେ ପାଣି ଚାଲିବା ଯୋଗୁଁଁ ମାଲକାନଗିରି ସହ ଅନ୍ୟ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ସହ ଯୋଗାଯୋଗ ପ୍ରଭାବିତ ହୋଇଛି।
ବନ୍ୟାଜଳ ଯୋଗୁଁଁ ରାସ୍ତାରେ ଯାତାୟାତ ଠପ୍ ହୋଇଯିବା ପରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଯାତ୍ରୀବାହୀ ବସ୍, ଟ୍ରକ୍, ମାଲବାହୀ ଗାଡ଼ି ସମେତ ଅନ୍ୟାନ୍ୟ ଯାନବାହନ ରାସ୍ତାରେ ଅଟକି ରହିଥିବାରୁ ଯାତ୍ରୀ ଓ ଚାଳକମାନେ ଦୀର୍ଘ ସମୟ ଧରି ଅସୁବିଧାରେ ପଡ଼ିଛନ୍ତି।
ପାଣିର ଗତି ଓ ଗଭୀରତା ବଢ଼ୁଥିବାରୁ ବନ୍ୟାଜଳ ମଧ୍ୟରେ ଯାନବାହନ ଚଳାଚଳ ନକରିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।ବର୍ଷା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ତଳିଆ ଅଞ୍ଚଳ ଓ ବନ୍ୟାପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥାନ ଓ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଉଛି। ଲୋକଙ୍କୁ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଯେକୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି।
ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ମୁକାବିଲା ପାଇଁ ମାଥିଲି ଓ କାଲିମେଳାରେ ଦୁଇଟି ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ଉଦ୍ଧାର କରିବା ସହ ବିପଦପୂର୍ଣ୍ଣ ଅଞ୍ଚଳରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।
ଜିଲ୍ଲାରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇ ବର୍ଷା, ନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ବିଭିନ୍ନ ବ୍ଲକ୍ ପ୍ରଶାସନ ସହ ସମନ୍ୱୟ ରଖି ଆବଶ୍ୟକ ସ୍ଥଳରେ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ପରିସ୍ଥିତି ଅଧିକ ଖରାପ ହେଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ଆହୁରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।
Powered by Froala Editor