ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ସହିତ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଏହି ପ୍ରାଣୀ ଗୁଡିକ ବାଲେଶ୍ୱର ଜିଲ୍ଲାକୁ ଆସିଲେ ଏବଂ ଏହା ପଛରେ କ’ଣ ପୃଷ୍ଠଭୂମି ରହିଛି, ତାକୁ ସ୍ପଷ୍ଟ କରିବା ପାଇଁ, ସେ ନିର୍ଦ୍ଦେଶ ଦେଇଛନ୍ତି।
ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲଣ ପାଇଁ ଓଡ଼ିଶା କେବେହେଲେ ଏକ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ, ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଏହି ବିରଳ ପ୍ରଜାତିର ପ୍ରାଣୀ ଗୁଡିକ କେଉଁ ମାର୍ଗ ଦେଇ ଓଡ଼ିଶାକୁ ଅଣାଯାଇଥିଲା, ସେମାନେ କିପରି ରାଜ୍ୟରେ ପ୍ରବେଶ କଲେ, ସେମାନଙ୍କ ପରିବହନରେ କିଏ ସମ୍ପୃକ୍ତ ଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଅଣାଯାଉଥିଲା, ଏସବୁ ଦିଗ ସ୍ପଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ, ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ଏହି ମାମଲାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ତଦନ୍ତ ଜାରି ରହିଥିବା ସମୟରେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଗୁଡ଼ିକୁ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଉପଯୁକ୍ତ ଚିକିତ୍ସା ସେବା, ସୁରକ୍ଷା ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor