ପ୍ରବଳ ବର୍ଷା ସମ୍ଭାବନା: ଏହି ଜିଲ୍ଲାକୁ ରେଡ୍ୱାର୍ଣ୍ଣିଂ
ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ବଳ ଗୋଟାଉଥିବା ବେଳେ ୧୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବା ସମ୍ଭାବନା ଅଛି। ଏହା ପ୍ରଭାବରେ ଉପକୂଳ ଜିଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ମୟୂରଭଞ୍ଜ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅତିପ୍ରବଳ ବର୍ଷା ନେଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସବୁ ସରକାରୀ ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ସ୍କୁଲ ଛୁଟି ଘୋଷଣା ହୋଇଥିବା ବେଳେ ଘରୋଇ ସ୍କୁଲରେ ପୂର୍ବାହ୍ନ ୧୦ଟା ପରେ ପାଠପଢ଼ା ବାତିଲ୍ ପାଇଁ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ଢ଼େଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼ର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଆସନ୍ତା ୧୪ତାରିଖ ସକାଳ ଯାଏ ବିଭିନ୍ନ ଜିଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
Powered by Froala Editor