ଆବୁଧାବିରେ ମୁଖ୍ୟମନ୍ତ୍ରୀ, ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା-ୟୁଏଇ ସମ୍ପର୍କର ‘ସେତୁ’ ବୋଲି କହିଲେ
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ଏବଂ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପହଞ୍ଚିଛନ୍ତି। ୟୁଏଇରେ ଓଡ଼ିଶାର ଉଚ୍ଚସ୍ତରୀୟ ନିବେଶ ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ୟୁଏଇର ନିବେଶକ, ଅନୁଷ୍ଠାନ ଏବଂ ଶିଳ୍ପପତିମାନଙ୍କ ସହ ହେବାକୁ ଥିବା ବୈଠକଗୁଡ଼ିକ ଯେପରି ଫଳପ୍ରଦ ହେବ, ସେନେଇ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି। ୯ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ, ନିବେଶକ ଏବଂ ଶିଳ୍ପପତିଙ୍କ ସହ ଆଲୋଚନା ମାଧ୍ୟମରେ ଓଡ଼ିଶାରେ ମାନୁଫ୍ୟାକଚରିଂ, ଭିତ୍ତିଭୂମି ଓ ନୂତନ ଜ୍ଞାନକୌଶଳ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ଆଣିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।
ବୁଧବାର କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ(ଆଇଏଚ୍ସି) ଏବଂ ଏହାର ବିଭିନ୍ନ ବ୍ୟବସାୟିକ ଶାଖା, ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (ଆଇବିପିଜି), ୟୁଏଇର ନିବେଶ ମନ୍ତ୍ରୀ ଓ ବରିଷ୍ଠ ନିବେଶକମାନଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ପରେ ପେଟ୍ରୋକେମିକାଲ୍ସ ଏବଂ କେମିକାଲ୍ସ କ୍ଷେତ୍ର ଉପରେ ଆଧାରିତ ଆଲୋଚନା ହେବ। ବୈଠକଗୁଡ଼ିକ ନିର୍ଦିଷ୍ଟ ନିବେଶ ସୁଯୋଗ, ଶିଳ୍ପ ଭାଗୀଦାରି, ପ୍ରଯୁକ୍ତିବିଦ୍ୟା ସହଯୋଗ ଏବଂ ଓଡ଼ିଶା-ୟୁଏଇ ଆର୍ଥିକ ସମ୍ପର୍କକୁ ଅଧିକ ମଜଭୁତ କରିବାର ମାର୍ଗ ସଂପର୍କରେ ଆଲୋଚନା କରାଯିବ।
ଆବୁଧାବିରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀ ନିବେଶକ ଆଲୋଚନାର ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଉପରେ ଆଲୋଚନା କରିଥିଲେ। ଏଥିସହ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା-ୟୁଏଇ ସମ୍ପର୍କର ‘ସେତୁ’ ବୋଲି ଅଭିହିତ କରି ସେମାନଙ୍କର ସୁବିଧା ଏବଂ ‘ଇଜ୍ ଅଫ୍ ଲିଭିଂ’ ଉପରେ ଗୁରୁତ୍ୱ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ୟୁଏଇ ଯାଇଥିବା ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି।
Powered by Froala Editor