୭ଘଣ୍ଟାରୁ ଅଧିକ ସମୟ ଚାଲିଲା ଗଣତିମଣତି ପ୍ରକ୍ରିୟା
ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଗଣତମଣତି କଡ଼ା ସୁରକ୍ଷା ମଧ୍ୟରେ ହୋଇଛି। ସକାଳ ଧୂପ ପରେ ଗଣତିମଣତି ଦଳ ସକାଳ ପ୍ରାୟ ୧୧ଟା ୪୫ରେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ପ୍ରଣାମ କରି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ସଦସ୍ୟଙ୍କ ମଧ୍ୟରେ ଶ୍ରୀମନ୍ଦିିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ, ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ପ୍ରମୁଖ ସାମିଲ ଥିଲେ। ରତ୍ନଭଣ୍ଡାରକୁ ପ୍ରବେଶ ପୂର୍ବରୁ ସଦସ୍ୟମାନେ ପାରମ୍ପରିକ ପୋଷାକ ପରିଧାନ କରିଥିଲେ।
ସୂଚନା ମୁତାବକ, ସୋମବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ସହ ଚଳନ୍ତି ଭଣ୍ଡାରରେ ଥିବା ତଥା ଶ୍ରୀଅଙ୍ଗରେ ଲାଗି ହେଉଥିବା ଝୋବା କଣ୍ଠିର ମଧ୍ୟ ଗଣତି ମଣତି କରିଛନ୍ତି। ଭକ୍ତଙ୍କ ଦାନ ଅଳଙ୍କାର ସାଧାରଣତଃ ଚଳନ୍ତି ଭଣ୍ଡାରରେ ରହିଥାଏ। ଏହି ଅଳଙ୍କାରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଗଣତି ବେଳେ ଭିତର ରତ୍ନଭଣ୍ଡାରରେ ଥିବା କାଠ ବାକ୍ସଗୁଡ଼ିକର ମାପ ନିଆଯାଇଛି। କାଠ ବାକ୍ସଗୁଡ଼ିକ ବହୁତ ବଡ଼ ହୋଇଥିବାରୁ ଭିତର ରତ୍ନଭଣ୍ଡାରରେ ଗଣତି କରିବା ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର ଏହାର ଗଣତି ପାଇଁ ଖଟଶେଜ ଘରକୁ ଆଣିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଗଣତିମଣତି କାର୍ଯ୍ୟ ସିସି କ୍ୟାମେରାରେ ରେକର୍ଡ ହୋଇଛି। ରତ୍ନ ଅଳଙ୍କାରଗୁଡ଼ିକର ଫଟୋଗ୍ରାଫି, ଭିଡିଓଗ୍ରାଫି ଏବଂ ୩ଡି ମ୍ୟାପିଂ କରାଯାଇଛି। ସୋମବାର ଗଣତି ପ୍ରକ୍ରିୟା ସନ୍ଧ୍ୟା ପ୍ରାୟ ୬ଟା ୫୫ରେ ଶେଷ ହୋଇଛି। ୭ଘଣ୍ଟାରୁ ଅଧିକ ସମୟ ଗଣତିମଣତି ପ୍ରକ୍ରିୟା ଚାଲିଥିଲା।
Powered by Froala Editor