ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି
ନେପାଳରେ ଆସିଥିବା ଆକସ୍ମିକ ବନ୍ୟା ଛାରଖାର କରି ଦେଇଥିବା ବେଳେ ଏହାଠାରୁ ବି ଆହୁରି ଭୟଙ୍କର ବିପର୍ଯ୍ୟୟର ଆଶଙ୍କା ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ହିମବାହ ସମ୍ବନ୍ଧିତ ବୈଜ୍ଞାନିକ ଦୀପେଶ ଚାପାଗେନ୍ଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରେ ବିଗତ ଦଶନ୍ଧିଗୁଡ଼ିକ ମଧ୍ୟରେ ହିନ୍ଦୁକୁଶ ହିମାଳୟରେ ବିପଦ କିଭଳି ବୃଦ୍ଧି ପାଇଛି ତାହା ଅନୁଧ୍ୟାନ କରାଯାଇଥିଲା । ଅଧ୍ୟୟନ ଅନୁସାରେ ହିନ୍ଦୁକୁଶ ହିମାଳୟ (ଏଚ୍କେଏଚ୍) କ୍ଷେତ୍ରରେ ଥିବା ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି । ବହୁ ପୁରୁଣା ରେକର୍ଡଠାରୁ ଆରମ୍ଭ କରି ୨୦୨୪ ପର୍ଯ୍ୟନ୍ତ ଘଟିଥିବା ୪୯୩ଟି ଜିଏଲ୍ଓଏଫ୍ ଘଟଣାର ସମୀକ୍ଷା କରାଯାଇଥିଲା ।
ରିପୋର୍ଟରୁ ଜଣାପଡ଼ିଛି, ୧୯୫୦ ମସିହା ପରଠାରୁ ହିମବାହ ହ୍ରଦ ବିସ୍ଫୋରଣ ଜନିତ ବନ୍ୟା ବା ଜିଏଲ୍ଓଏଫ୍ ଘଟଣା ବୃଦ୍ଧି ପାଇଛି । ଏଭଳି ବିପର୍ଯ୍ୟୟର ହାରାହାରି ସଂଖ୍ୟା ପ୍ରତି ଦଶନ୍ଧିରେ ୭ରୁ ବୃଦ୍ଧି ପାଇ ୩୮ରେ ପହଞ୍ଚିଛି, ଯାହା କି ପ୍ରାୟ ୫ ଗୁଣା ଅଧିକ ।
"ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ରିସ୍କ୍, ରେସପନ୍ସ ଷ୍ଟ୍ରାଟେଜିଜ୍ ଆଣ୍ଡ ଆଡାପ୍ଟେସନ୍ ଗ୍ୟାପ୍ସ ଇନ୍ ଦ ହିନ୍ଦୁକୁଶ ହିମାଳୟ ରିଜିଅନ୍' ଶୀର୍ଷକ ଅଧ୍ୟୟନରେ ହିମବାହ ହ୍ରଦ ବିସ୍ଫୋରଣ ଜନିତ ବନ୍ୟାକୁ ହିନ୍ଦୁକୁଶ ହିମାଳୟ ଅଞ୍ଚଳ ପାଇଁ ଏକ ପ୍ରମୁଖ ତଥା ବଢ଼ିଚାଲିଥିବା ବିପଦ ବୋଲି ବର୍ଣ୍ଣନା କରାଯାଇଛି । ବିଶ୍ୱତାପନ ବୃଦ୍ଧି ଯୋଗୁ ହିନ୍ଦୁକୁଶ ହିମାଳୟର ହିମବାହଗୁଡ଼ିକ ଦ୍ରୁତ ଗତିରେ ତରଳୁଛି । ଫଳରେ ବରଫ, ପଥର କିମ୍ୱା ପଟୁମାଟିର ପ୍ରାକୃତିକ ଅବରୋଧ ପଛରେ ପାଣି ଜମା ହୋଇ ହିମବାହ ହ୍ରଦ ସୃଷ୍ଟି ହେଉଛି । ଆଖପାଖର ହିମବାହରୁ ବରଫ ତରଳିବା କାରଣରୁ ଏହି ହ୍ରଦଗୁଡ଼ିକ ମଧ୍ୟରୁ କେତେକର ଆକାର ଆଶାତୀତ ଭାବେ ବଢ଼ିଯାଇଥାଏ । ଭୂମିକମ୍ପ, ଭୂସ୍ଖଳନ କିମ୍ୱା ବାଦଲଫଟା ବର୍ଷା ଏହି ପ୍ରାକୃତିକ ଅବରୋଧକୁ ଦୁର୍ବଳ କରିବାର ସମ୍ଭାବନା ରହିଥାଏ । ଏହା ଫଳରେ ବିପୁଳ ପରିମାଣର ପାଣି ତଳିଆ ଅଞ୍ଚଳକୁ ମାଡ଼ି ଆସି ବନ୍ୟାର ରୂପ ନେଇଥାଏ ।
ସେପଟେ ତିବ୍ଦତ-ନେପାଳରେ ଆସିଥିବା ଭୀଷଣ ବନ୍ୟାରେ ମୃତ୍ୟୁ ଓ ନିଖୋଜଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ମୃତ୍ୟୁସଂଖ୍ୟା ୮୦୪କୁ ବୃଦ୍ଧି ପାଇଥିଲା ବେଳେ ୩ ହଜାରରୁ ଅଧିକ ନିଖୋଜ ଥିବା ସୂଚନା ମିଳିଛି ।
Powered by Froala Editor