ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ଆସିଲା ଏହି ନିୟମ, ଜାଣନ୍ତୁ କ’ଣ ?
ଭୁବନେଶ୍ୱର: ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ ହେଲେ ଛାତ୍ରୀଛାତ୍ରଙ୍କ ପାଇଁ ବାରମ୍ବାର ଏକ୍ସ-ରେଗୁଲାର ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ସେମାନେ ଥରେ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେଇଥିଲେ, ତାହାର ମାର୍କ ତିନିବର୍ଷ ପର୍ଯ୍ୟନ୍ତ ବୈଧ ରହିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ସମୟ ଭିତରେ ବାରମ୍ବାର ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେବାକୁ ପଡିବ ନାହିଁ। ତିନିବର୍ଷ ପରେ ଏକ୍ସ-ରେଗୁଲାର ପିଲାଙ୍କୁ ପୁନଃ ଏହି ପରୀକ୍ଷା ଦେବାକୁ ହେବ। ପରିଷଦର ଏକାଡେମିକ କମିଟି ବୈଠକରେ ଏନେଇ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ସିଏଚ୍ଏସ୍ଇ ଅଧ୍ୟକ୍ଷ ମୃଣାଳକାନ୍ତି ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ୨୦୨୬ ବାର୍ଷିକ ପରୀକ୍ଷା ସମୟରେ କେତେଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ଇଣ୍ଟରନାଲ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିବା ଅସୁବିଧା
ଓ ଅସଙ୍ଗତି ଉପରେ ଆଲୋଚନା ପରେ ଇଣ୍ଟରନାଲ/ପ୍ରୋଜେକ୍ଟ ମାର୍କର ବୈଧତା ସମ୍ପର୍କରେ ଏହି ନୂଆ ବ୍ୟବସ୍ଥା କରାଯାଇଛି। ଜଣେ ପରୀକ୍ଷାର୍ଥୀ ଥରେ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେଇଥିଲେ, ସେଥିରେ ସେ ଅସଫଳ ହେଲେ ମଧ୍ୟ ଉକ୍ତ ମାର୍କ ତିନିବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ଏହି ଅବଧି ମଧ୍ୟରେ ପରୀକ୍ଷାର୍ଥୀ ଥିଓରୀ ପରୀକ୍ଷା ଦେଇପାରିବେ। କିନ୍ତୁ ପୁନଃ ଇଣ୍ଟରନାଲ ପରୀକ୍ଷା ଦେବା ଆବଶ୍ୟକ ହେବ ନାହିଁ। ତିନିବର୍ଷ ମଧ୍ୟରେ ପାସ କରିପାରି ନ ଥିଲେ, ପରବର୍ତ୍ତୀ ବର୍ଷ ଏକ୍ସ-ରେଗୁଲାର୍ ଭାବେ ପରୀକ୍ଷା ଦେବା ପୂର୍ବରୁ ପୁନର୍ବାର ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷା ଦେବାକୁ ପଡ଼ିବ। କୌଣସି ପରୀକ୍ଷାର୍ଥୀ ଥିଓରୀ ପରୀକ୍ଷାରେ ଉପସ୍ଥିତ ରହି ଇଣ୍ଟରନାଲ କିମ୍ବା ପ୍ରୋଜେକ୍ଟ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାପଡ଼ିଲେ, ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକଙ୍କ ଲିଖିତ ଅନୁମତି ନେଇ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କିମ୍ବା କେନ୍ଦ୍ର ଅଧୀକ୍ଷକ ପରୀକ୍ଷା ଅବଧି ମଧ୍ୟରେ ତାଙ୍କ ପାଇଁ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷାର ବ୍ୟବସ୍ଥା କରିପାରିବେ। ଏହି ନୂଆ ବ୍ୟବସ୍ଥା ଏଏଚ୍ଏସ୍ଇ-୨୦୨୭ରୁ ଲାଗୁ ହେବ। ଏହାଦ୍ୱାରା ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ଉଭୟ ବର୍ଗର ପରୀକ୍ଷାର୍ଥୀଙ୍କ ଇଣ୍ଟରନାଲ/ପ୍ରୋଜେକ୍ଟ ପରୀକ୍ଷାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି।
ସେହିପରି ଏକାଡେମିକ କମିଟି ବୈଠକରେ ବିଭିନ୍ନ ବୋର୍ଡ ଓ ଶିକ୍ଷା ସଂସ୍ଥାର ପ୍ରମାଣପତ୍ରକୁ ସମକକ୍ଷ ମାନ୍ୟତା ପ୍ରଦାନ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ହୋଇଛି।
Powered by Froala Editor