ମଝି ରାସ୍ତାରେ ହ୍ୱିଲଚେୟାରରେ ଦିଦି

କୋଲକତା: ପଶ୍ଚିମବଙ୍ଗରେ ଜୋର ଧରିଛି ନିର୍ବାଚନ ପ୍ରକ୍ରି୍ରୟା । ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଧର୍ମ ନାଁ ରେ ଭୋଟ ଭିକ୍ଷା ଅଭିଯୋଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରଚାର କଟକଣା ଜାରି କରାଯାଇଥିଲା । ଏହାର ପ୍ରତିବାଦରେ ଆଜି ମମତା ବାନର୍ଜୀ ରାସ୍ତା ମଝିରେ ଧାରଣାରେ ବସିଛନ୍ତି । କୋଲକତାର ମୋୟା ସଡକ ପରିସରରେ ଥବା ଗାନ୍ଧିମୂର୍ତ୍ତ ତଳେ ହ୍ୱିଲଚେୟାରରେ ବସି ଧାରଣା ଦେଇଛନ୍ତି ମମତା । ଏହା ସହିତ ସେ ମୁହଁରେ କଳା ରଙ୍ଗର ମାସ୍କ ସହ ଏକ କଳା ରଙ୍ଗର ଚାଦର ମଧ୍ୟ ପକାଇଛନ୍ତି । କେବଳ ସେତିକି ନୁହେଁ ଧାରଣାରେ ବସି ପେଣ୍ଟିଂ ମଧ୍ୟ କରୁଛନ୍ତି ଦିଦି । ସେପଟେ ଟିଏମସିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଯଶବନ୍ତ ସିହ୍ନା ନିର୍ବାଚନ କମିଶନକୁ ଟାର୍ଗେଟ କରି କହିଛନ୍ତି ଯେ ଗଣତନ୍ତ୍ରର ସମସ୍ତ ସଂସ୍ଥା ସହ ବୁଝାମଣା କରାଯାଇଛି । ଏବେ ସ୍ପଷ୍ଟ ହୋଇଛି ଯେ ନିର୍ବାଚନ କମିଶନ ମୋଦି-ଶାହାଙ୍କ ଇସାରାରେ କାର୍ଯ୍ୟ କରୁଛି ।
ସୂଚନାଯୋଗ୍ୟଯେ, ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ଗୋଟିଏ ପଟେ ମମତା ଥିବାବେଳେ ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ଜେପି ନଡ୍ଡା, ରାଜନାଥ ସିଂହ ପ୍ରମୁଖ ଘନଘନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।