ଆଜି ଶ୍ରାବଣ ପ୍ରଥମ ସୋମବାର: ବନ୍ଦ ରହିଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର: ଆଜି ଶ୍ରାବଣର ପ୍ରଥମ ସୋମବାରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହୋଇଛି। ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା ସୂଚନାରୁ ଜଣାପଡ଼ିଛି।
ମନ୍ଦିରର ପୂଜାପଣ୍ଡା ସେବାୟତ ଏବଂ ବଡୁ ସେବାୟତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଅସନ୍ତୋଷ ଲାଗି ରହିଥିଲା। ଶ୍ରାବଣ ସୋମବାର ଭଳି ସ୍ବତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦିନରେ ମନ୍ଦିରକୁ ଆସୁଥିବା ଦାନ ଟଙ୍କା ଏବଂ ବିଭିନ୍ନ ପୂଜାନୀତିରୁ ମିଳୁଥିବା ପାଉଣା ଟଙ୍କା ଭାଗବଣ୍ଟାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଏହି ବିବାଦ ଉଗ୍ର ରୂପ ଧାରଣ କରି ସେବାୟତମାନେ ନିଜର ଦାୟିତ୍ୱରୁ ଓହରି ଯାଇ ନୀତିକାନ୍ତି ବନ୍ଦ କରିଦେଇଛନ୍ତି।
ତେବେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବାଙ୍କୁ ଜଳ ଲାଗି କରି ନ ପାରି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି। ପ୍ରଭୁଙ୍କର ଅବକାଶ ନୀତି ଏବଂ ସକାଳ ଧୂପ ଭଳି ଗୁରୁତ୍ୱପୂର୍ଣ୍ଣ ନୀତି ନ ହେବାରୁ ମନ୍ଦିର ପରିସରରେ ଦୁଃଖଦାୟକ ପରିବେଶ ସୃଷ୍ଟି ହୋଇଛି।
Powered by Froala Editor