ବନ୍ୟା: ରାଜ୍ୟର ୨୦ଟି ଜିଲା ପ୍ରଭାବିତ
ଭୁବନେଶ୍ୱର: ଗଭୀର ଅବପାତ ଜନିତ ପ୍ରବଳ ବର୍ଷା ଓ ସେଥିରୁ ଉତ୍ପନ୍ନ ବନ୍ୟା ଯୋଗୁଁ ରାଜ୍ୟର ୨୦ଟି ଜିଲା ପ୍ରଭାବିତ ହୋଇଛି। ଏହି ଜିଲାଗୁଡ଼ିକର ୧୦୦ଟି ବ୍ଲକ, ୫୩୯ଟି ପଞ୍ଚାୟତର ୧୪୫୮ଟି ଗାଁ ଓ ୧୪ଟି ସହରାଞ୍ଚଳର ୧୭୬ଟି ୱାର୍ଡକୁ ମିଶାଇ ମୋଟ ୭,୦୫,୨୩୨ ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି, ବନ୍ୟାରେ କେନ୍ଦୁଝର, ଢେଙ୍କାନାଳ ଏବଂ ରାୟଗଡ଼ା ଜିଲାରେ ଜଣେ ଲେଖାଏଁ ମୋଟ ୩ଜଣ ପ୍ରାଣ ହରାଇଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାର ବନ୍ୟା ଓ ଜଳମଗ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଜିଲା ପ୍ରଶାସନ ସମଗ୍ର ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି। ଏସ୍ଆରସିଙ୍କ ରିପୋର୍ଟ ଅନୁଯାୟୀ, ବନ୍ୟା ଓ ବର୍ଷା ବିତ୍ପାତରେ ଅନୁଗୋଳ, ବଲାଙ୍ଗିର, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲାର ୧୦୦ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି। ମହାନଦୀରେ ମଧ୍ୟମଧରଣର ବନ୍ୟା ଆସିବାରୁ କଟକ ଜିଲାର ବାଙ୍କୀ, ଆଠଗଡ଼, ବଡ଼ମ୍ବା ଏବଂ ତିଗିରିଆ ଅଞ୍ଚଳରେ ପ୍ରଭାବ ଦେଖିବାକୁ ମିଳିଲାଣି। ଆଗକୁ ଖୋରଧା, ନୟାଗଡ଼ ଏବଂ ପୁରୀ ଜିଲାରେ ବନ୍ୟାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ଜଳକା, ସାଳନ୍ଦୀ ଏବଂ ବୈତରଣୀରେ ବନ୍ୟା ଆସିବା ଦ୍ବାରା ସର୍ବାଧିକ ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲା ପ୍ରଭାବିତ ହୋଇଛି। ବନ୍ୟାରେ ୧୩୧୦ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧,୮୯,୫୯୭ଲୋକଙ୍କୁ ବନ୍ୟା/ବାତ୍ୟା ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାପାଣିରେ ୨୪,୮୯୬ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ୧୩୫୩ଟି ଘର ଭାଙ୍ଗିଛି।
ବାଲେଶ୍ବର ଜିଲାର ୪୪୯ଟି ଗାଁ ଏବଂ ୫ଟି ସହରାଞ୍ଚଳର ୧୩୫ଟି ୱାର୍ଡରୁ ୧,୪୬,୫୦୪ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲାର ୨୭୫ଟି ଗାଁ ଏବଂ ସହରାଞ୍ଚଳର ଗୋଟିଏ ୱାର୍ଡରୁ ୧,୩୭,୦୧୦ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଭଦ୍ରକ ଜିଲାର ୪୦୦ଟି ଗାଁର ଏବଂ ୩ଟି ସହରାଞ୍ଚଳର ୨୬ଟି ୱାର୍ଡରୁ ୪, ୧୧,୪୨୨ ଜଣ ପ୍ରଭାବିତ ହୋଇଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ ଆକାଶମାର୍ଗରୁ ହେଲିକପ୍ଟର ମାଧ୍ୟମରେ ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ସ୍ବତନ୍ତ୍ର ସହାୟତା ଆୟୁକ୍ତ(ଏସ୍ଆର୍ସି) ରାଜେଶ ପ୍ରଭାକର ପାଟିଲ୍ ମଧ୍ୟ ଉପସ୍ଥିତ ରହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।
Powered by Froala Editor