ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି। ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସମ୍ବଲପୁର ଜିଲାର ପ୍ରାୟ ୫୭ଟି ବ୍ଲକରେ ୫ ଲକ୍ଷ ୨୬ ହଜାର ୮୦୦ ଲୋକ ପ୍ରଭାବିତ ହୋଇଥିବାବେଳେ ଢେଙ୍କାନାଳରେ ୪ ଏବଂ କେନ୍ଦୁଝରରେ ୨ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝରରେ ପାଣି ଖାଲି କରୁଥିବାବେଳେ ବିଦ୍ୟୁତ୍ ଆଘାତର ଶିକାର ହୋଇ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ବୈତରଣୀ ରିଙ୍ଗ୍ ରୋଡ୍ ସ୍ଲୁଇସ୍ ଗେଟ୍ରେ ସୃଷ୍ଟ ଘାଇରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ସେହିପରି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଷୋଳମପୁର ଗ୍ରାମର ମାନସ ରଞ୍ଜନ ମଲ୍ଲିକଙ୍କ ବନ୍ୟାଜଳରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ଛି। ହଜାର ହଜାର ଲୋକ ଏବେ ବି ପାଣି ଘେରରେ ରହିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅପରାହ୍ନ ସୁଦ୍ଧା ୩୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏହି ସଂଖ୍ୟା ଅଧିକ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ବନ୍ୟା ଯୋଗୁ ବାଲେଶ୍ୱର ଜିଲା ବିଶେଷଭାବେ ପ୍ରଭାବିତ ହୋଇଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଯାଜପୁର ଜିଲା ମଙ୍ଗଳପୁର ବ୍ଲକ ଅହିୟାସ ବଜାର ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିବାବେଳେ କାଟିଆ-ବୈଷପାନ ମୁଖ୍ୟ ରାସ୍ତାର ଅହିୟାସ ନିକଟରେ ପ୍ରାୟ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ବନ୍ୟାଜଳ ଶତାଧିକ ଦୋକାନ ଭିତରକୁ ପଶିଯିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ସେହିପରି ଯାଜପୁର ଜିଲା ବୈତରଣୀର ଶାଖା କାଣୀନଦୀର ଦଶରଥପୁର ବ୍ଲକରେ ତରପଦା ପଞ୍ଚାୟତର ଡୋବାବିଲଠାରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁ ସେଠାରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପ୍ରଭାବିତ ଜିଲା ଏବଂ ଲଗାଣ ବର୍ଷାରେ ଜଟିଳ ସ୍ଥିତିରେ ରହିଥିବା ସମସ୍ତ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚାଇବାଠାରୁ ଆରମ୍ଭ କରି ରିଲିଫ ଯୋଗାଣ, ସ୍ଥାନାନ୍ତର, ଉଦ୍ଧାର, ଭଳି ଅନ୍ୟାନ୍ୟ ସହାୟତା ଯୁଦ୍ଧକାଳୀନ ଭିତ୍ତିରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ମନ୍ତ୍ରୀ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନ୍ୟା ସମୀକ୍ଷା ବୈଠକର ବିବରଣୀ ଅନୁଯାୟୀ, ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ବୁଧବାର ଅପରାହ୍ନ ସୁଦ୍ଧା ୪୪ ବ୍ଲକ୍, ୨୪୩ଟି ଗ୍ରାମ ପଞ୍ଚାୟତ ଏବଂ ୭୪୮ଟି ଗ୍ରାମ ବନ୍ୟା ପ୍ରଭାବରେ ରହିଛି। ଏହା ବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲାର କେତେକ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁ ପ୍ରଭାବିତ ହୋଇଛି।
ମନ୍ତ୍ରୀଙ୍କ ସୂଚନାନୁସାରେ, ରାଜ୍ୟ ସରକାର ସମଗ୍ର ପରିସ୍ଥିତି ଉପରେ ନିରନ୍ତର ନଜର ରଖି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି। ସମସ୍ତ ନଦୀବନ୍ଧ, ରିଲିଫ୍ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ ବାଧ୍ୟତାମୂଳକ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। ବିପର୍ଯ୍ୟୟ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୭ଟି ଏନ୍ଡିଆର୍ଏଫ୍ ଟିମ୍, ଏସ୍ଡିଆର୍ଏଏଫ୍ ଟିମ୍ ଏବଂ ପ୍ରାୟ ୬୦ଟି ଅଗ୍ନିଶମ ସେବା ଟିମ୍ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଜିଲାପ୍ରଶାସନ ସହ ସମନ୍ବୟ ରକ୍ଷା କରି କ୍ଷେତ୍ରସ୍ତରରେ ପରିସ୍ଥିତିର ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସେହିପରି ସ୍ଥାନାନ୍ତରିତ ଲୋକଙ୍କୁ ସ୍ବଚ୍ଛ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଆବଶ୍ୟକ ସ୍ଥଳରେ ଶୁଖିଲା ରାଶନ ସାମଗ୍ରୀବଣ୍ଟନ କରାଯାଉଛି। ଶିଶୁ, ମହିଳା ଓ ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ସୁରକ୍ଷା ପାଇଁ ରିଲିଫ୍ କେନ୍ଦ୍ରଗୁଡ଼ିକରେ ମହିଳା ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରାଯାଇଛି। ମେଡିକାଲ ଟିମ୍ ମୁତୟନ କରାଯାଇଥିବାବେଳେ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି ଏବଂ ସାପ କାମୁଡ଼ାର ଚିକିତ୍ସା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।
ପାଣିପାଗ ପୂର୍ବାନୁମାନ ଅନୁଯାୟୀ ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲାକୁ ସତର୍କ ଦୃଷ୍ଟି ରଖାଯାଇଛି। ସମ୍ଭାବ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲା ପ୍ରଶାସନକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଉଦ୍ଧାରକାରୀ ଦଳ, ଜରୁରୀ ଉପକରଣ ଓ ରିଲିଫ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ବତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor