୫ ବିମାନବନ୍ଦରରୁ ଆରମ୍ଭ ହେବ ଉଡାଣ, ୧୧ ଦେଶକୁ ଉଡ଼ିବ ବିମାନ
ଭୁବନେଶ୍ବର: ରାଜ୍ୟରେ ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୫ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ ହେବ। ୧୨ଟି ବିମାନବନ୍ଦରରେ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯିବା ସହ ୧୧ ଦେଶକୁ ବିମାନ ଉଡ଼ିବ। ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ ଏମ୍ସ ଭୁବନେଶ୍ବରରେ ଏକ ହେଲିପୋର୍ଟ ନିର୍ମାଣ କରାଯିବ। ବିମାନ ଚଳାଚଳ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ପାଇଁ ପଥ ଉନ୍ମୁକ୍ତ ହେବାକୁ ଯାଉଛି। ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ବେସାମରିକ ବିମାନ ନୀତି-୨୦୨୬ ଚିଠା ନୀତି ଜାରି କରି ଏପରି ଆଭିମୁଖ୍ୟ ଦର୍ଶାଯାଇଛି।
ଚିଠା ନୀତି ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷରେ ବ୍ୟାଙ୍କକ୍, ସିଙ୍ଗାପୁର, କ୍ବାଲାଲମ୍ପୁର, ସିଙ୍ଗାପୁର ଓ କଲେମ୍ବାକୁ ବିମାନ ଉଡ଼ାଣ ଲକ୍ଷ୍ୟ ରହିଛି। ୨୦୨୭-୨୮ରେ ଦୁବାଇ, ଅବୁଧାବି, ମସ୍କଟ୍, ଢାକା ଏବଂ ୨୦୨୮-୨୯ରେ ହଂକଂ, ଫୁକେଟ, ବାଲି, କାଠମାଣ୍ଡୁକୁ
ବିମାନ ସେବା ଆରମ୍ଭ କରାଯିବ। ଓଡ଼ିଶାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କମ୍ପାନୀକୁ ବାର୍ଷିକ ୧ କୋଟି ଟଙ୍କାର ବ୍ୟବସାୟ ସହାୟତା, ୩ବର୍ଷ ଯାଏ ସମସ୍ତ ଟିକସ ଛାଡ଼, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ବୟ ରକ୍ଷାରେ ରାଜ୍ୟ ସରକାର ସହଯୋଗ ପ୍ରଦାନ କରିବେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏସବୁ ଦେଶ ସିଧାସଳଖ ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ୭୫୦ କିମି ମଧ୍ୟରେ ୧୮୦ ଯାତ୍ରୀ ବିଶିଷ୍ଟ ବିମାନର ପ୍ରତି ରାଉଣ୍ଡ ଟ୍ରିପ୍ ପିଛା ୧୦ ଲକ୍ଷ ଟଙ୍କା ଓ ୭୫୦ କିମିରୁ ଅଧିକ ଦୂରତା ପାଇଁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା (ଭିଜିଏଫ୍) ମିଳିବ। ସରକାରଙ୍କ ଅନୁମୋଦନକ୍ରମେ ଏହି ପ୍ରୋତ୍ସାହନ ରାଶିରେ ବୃଦ୍ଧି କରାଯିବ। ଆର୍ଥିକ ପ୍ରୋତ୍ସାହନ ପାଉଥିବା ବିମାନ କମ୍ପାନୀ ମନଇଚ୍ଛା ସେବା ବନ୍ଦ କରିପାରିବେ ନାହିଁ। ଯାତ୍ରୀ ଟିକଟ ମୂଲ୍ୟ ଯେପରି ଅହେତୁକ ବୃଦ୍ଧି ନ ପାଇବ, ତାହା ଏୟାରଲାଇନ୍ସ ସୁନିଶ୍ଚିତ କରିବ।
ଅନ୍ତର୍ଜାତୀୟ ବିମାନ ଓ ହେଲିକପ୍ଟର ଉଡ଼ାଣ ପାଇଁ ସରକାର ଭିତ୍ତିଭୂମି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସଡ଼କ ଓ ଜଳପଥରେ ସଂଯୋଗ ପାଇଁ ଗୁରୁତ୍ବ ଦିଆଯିବ। ଏହାଦ୍ବାରା ଆର୍ଥିକ କାରବାରକୁ ସୁବିଧା ମିଳିବ। ଭୁବନେଶ୍ବର ବିମାନବନ୍ଦରରେ ଟର୍ମିନାଲ-୩ ନିର୍ମାଣରେ ରାଜ୍ୟ ସରକାର ସହଯୋଗ ଦେବେ। ସେହିପରି ବିମାନବନ୍ଦରକୁ ସଂଯୋଗ କରୁଥିବା ଏକ୍ସପ୍ରେସ୍-ୱେ, ମେଟ୍ରୋ ଓ ବସ୍ ସଂଯୋଗ ରଖାଯିବ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ୫୦୦ ଯାତ୍ରୀ କ୍ଷମତାର ଏକ ଟର୍ମିନାଲ କୋଠା, କାର୍ଗୋ ହବ୍ ନିର୍ମାଣ ସହ ରନ୍-ୱେ ସମ୍ପ୍ରସାରଣ କରାଯିବ। କୋରାପୁଟର ଜୟପୁର ଓ କଳାହାଣ୍ଡିର ଉତ୍କେଲା ବିମାନବନ୍ଦରକୁ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ସହ ଯୋଡ଼ାଯିବ। ଫଳରେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ବ୍ରାଉନ୍ ଫିଲ୍ଡ ଏୟାରପୋର୍ଟ ଭାବେ ରାଉରକେଲା ଓ ଅନୁଗୋଳ ବିମାନବନ୍ଦରରେ ଭିତ୍ତିଭୂମି ନିର୍ମାଣ ସହ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବ। ଗଞ୍ଜାମର ରଙ୍ଗେଇଲୁଣ୍ଡା ବିମାନ ପଟିକୁ ଉପକୂଳ ପର୍ଯ୍ୟଟନ ଓ ପ୍ରତିରକ୍ଷା ଦୃଷ୍ଟିରୁ ଉପଯୋଗ କରାଯିବ। ଗୋପାଳପୁର, ହୀରାକୁଦରେ ଥିବା ବିମାନ ପଟିର ବିକାଶ କରାଯିବ। ୨୦୨୯ ଡିସେମ୍ବର ସୁଧା ପୁରୀରେ ଗ୍ରୀନ୍ଫିଲ୍ଡ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରହିଛି। ପାରାଦ୍ବୀପରେ ଗ୍ରୀନ୍ଫିଲ୍ଡ ବିମାନବନ୍ଦର ପାଇଁ ୨୦୨୭ ସୁଧା ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ।
ମୟୂରଭଞ୍ଜର ଅମର୍ଦ୍ଦାରୋଡ୍ ବିମାନପଟି ଓ ଢେଙ୍କାନାଳର ବିମାନପଟି ନିର୍ମାଣ ୨୦୨୯ରେ ଆରମ୍ଭ ହେବ। ମୟୂରଭଞ୍ଜର ଦାଣ୍ଡବୋସ୍, ସମ୍ବଲପୁରର ଜମାଦାରପଲ୍ଲି, ବିମାନପଟି ନିର୍ମାଣ ପାଇଁ ସମୟ ଦିଆଯାଇଛି। କେନ୍ଦୁଝରର ରାଇସୁଆଁ ଓ ବଲାଙ୍ଗୀରର ତୁଷରା ବିମାନପଟି ନିର୍ମାଣ ଜାନୁଆରୀ ୨୦୨୮ରେ ଓ ବରଗଡ଼ର ସତିଭାଟ ୨୦୨୯ରେ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ସହାୟତା ବ୍ୟତୀତ ସାଂସଦ ହାତପାଣ୍ଠି, ଜିଲା ଶିଳ୍ପ ଓ ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ନିଆଯିବ। ଏହାବ୍ୟତୀତ ବିମାନପଟି ଓ ହେଲିପୋର୍ଟ ନିର୍ମାଣ ତଥା ପରିଚାଳନାରେ ଘରୋଇ ସଂସ୍ଥାକୁ ପୁଞ୍ଜିନିବେଶ ସୁଯୋଗ ମିଳିବ। ୨୦ଟି ଜିଲାରେ ନିର୍ମାଣ ହେବାକୁ ଥିବା ହେଲିପୋର୍ଟଗୁଡ଼ିକ ମୁଖ୍ୟତଃ ଜରୁରୀ କାର୍ଯ୍ୟ, ବାଣିଜ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା ଦୃଷ୍ଟିରୁ ଉପଯୋଗ ହେବ। ସେହିପରି, ଓଡ଼ିଶାରୁ କାର୍ଗୋ (ପଣ୍ୟ) ରପ୍ତାନି ଓ ଆମଦାନୀ ବୃଦ୍ଧି ପାଇଁ ଚିଠା ନୀତିରେ ସ୍ବତନ୍ତ୍ର ପ୍ରାବଧାନ ରହିଛି। ଅପରପକ୍ଷେ ବିମାନ ଚଳାଚଳ କ୍ଷେତ୍ରକୁ ବଳ ଦେବା ପାଇଁ ଏ ଦିଗରେ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
Powered by Froala Editor