୩ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ ସୁଦ୍ଧା ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଏକ ଘୂର୍ଣ୍ଣିବଳୟ ୯.୪ କି.ମି. ସମୁଦ୍ର ପତ୍ତନକୁ ବ୍ୟାପିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଜୁଲାଇ ୩୧ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। କିନ୍ତୁ ଆସନ୍ତା ୩ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କ କରିଛି।
ରବିବାର କେନ୍ଦୁଝର ଜିଲାରେ ଅତ୍ୟଧିକ ବର୍ଷା ନେଇ ରେଡ୍ ଓ୍ୱାର୍ନିଂ ଜାରି କରାଯାଇଛି। ସେହିପରି ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି। ଏଥିସହ ୨୧ ଜିଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହେବା ନେଇ ସୂଚନା ଦିଆଯାଇଛି। ସମୁଦ୍ର ଭିତରେ କେହି ମତ୍ସ୍ୟଜୀବୀ ଥିଲେ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।
Powered by Froala Editor