ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ତିନି ଠାକୁର
ପୁରୀ: ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ ରହିଛି। ସେବାୟତମାନେ ନୀତି ସମ୍ପାଦନ ଓ ଭକ୍ତମାନେ ରଥ ଟାଣିନେବା ପାଇଁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ଭୋର ୪ଟାରେ ମଙ୍ଗଳ ଆଳତି ହୋଇ ନୀତି ବଢ଼ିବ। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨ ହଜାର ପୋଲିସ କର୍ମଚାରୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।
Powered by Froala Editor