ଅବସରପ୍ରାପ୍ତ ଆଇଏଏସଙ୍କୁ ନୋଟିସ ଜାରି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନ ରିପୋର୍ଟ ଏବଂ ସମ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ନିଖୋଜ ଘଟଣାରେ କମିଶନରେଟ ପୋଲିସର ତଦନ୍ତ ଜୋରଦାର ହୋଇଛି। ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ ଜଡିତ ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା କରି ଫାଇଲ ନିଖୋଜ ଘଟଣାର ସୂତ୍ର ଖୋଜୁଛି ପୋଲିସ। ଏହି କ୍ରମରେ ଗୁରୁବାର ପୁଣି ନୋଟିସ ଜାରି କରାଯାଇଛି । ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଶ୍ରୀ ବେହେରାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଛି । ସେହିପରି ହାଜର ହୋଇନଥିବା ରାଜେଶ ବର୍ମାଙ୍କୁ ପୁଣି ଥରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ହାଜର ହେବାକୁ ଶ୍ରୀ ବର୍ମାଙ୍କୁ ନୋଟିସ ଜାରି କରାଯାଇଛି । କମିଶନରେଟ ପୁଲିସ ପକ୍ଷରୁ ଉଭୟଙ୍କୁ ନୋଟିସ ଜାରି କରାଯାଇଛି । ଉଭୟଙ୍କ ଏସିପି ଜୋନ-୧ଙ୍କ ପାଖରେ ହାଜର ହେବାକୁ ନୋଟିସରେ କୁହାଯାଇଛି । ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଥାନାରେ ହାଜର ହୋଇଥିଲା ବେଳେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ହାଜର ହୋଇନାହାନ୍ତି । ଗତକାଲି ଅର୍ଥାତ ବୁଧବାର ସକାଳ ୧୧ଟା ସୁଦ୍ଧା ରାଜେଶ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା । ଅନ୍ୟପକ୍ଷରେ ଗତକାଲି ଅର୍ଥାତ ବୁଧବାର ବିଜେଡି ସର୍ବେସର୍ବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରି ହାଜର ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ ଏହି ପଦକ୍ଷେପ ନିଅଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱରର କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ସମନ ଜାରି କରି ଚଳିତମାସ ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ୟୁପିଡି ଅଧୀନସ୍ଥ ଏସିପି ଜୋନ୍-୧ କାର୍ୟ୍ୟାଳୟରେ ହାଜର ହେବା ପାଇଁ ଏହି ନୋଟିସରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନାର ଅତିରିକ୍ତ ଆଇଆଇସି ତଥା ତଦନ୍ତକାରୀ ଅଫିସର ବିପନ ବିହାରୀ ହୋତା ଏହି ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ପକ୍ଷରୁ କୁହାଯାଇଛି ଯେ, କ୍ୟାପିଟାଲ ଥାନାରେ ଗତ ଜୁନ ୧୦ ତାରିଖରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସଂକ୍ରାନ୍ତରେ ଏହି ନୋଟିସ ପଠାଇଛି।
Powered by Froala Editor