ଆସିଲା ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ, ଓମ୍ ସତ କଥା କହିଥିବା ପ୍ରମାଣିତ
ଭୁବନେଶ୍ବର : ବାଲିଅନ୍ତା ଥାନା ଅଧୀନରେ ଘଟିଥିବା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୌମ୍ୟଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତର ମିଛଧରା ପରୀକ୍ଷା (ପଲିଗ୍ରାଫ୍ ଟେଷ୍ଟ) ରିପୋର୍ଟ ଆସିଛି। ଏହି ପରୀକ୍ଷାରେ ଓମ୍ ସତ କଥା କହିଥିବା ପ୍ରମାଣିତ ହୋଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଫୋରେନ୍ସିକ୍ ସ୍ୱାସ୍ଥ୍ୟ ଓ ବିଜ୍ଞାନ ପରୀକ୍ଷାଗାର (ଏନ୍ଏଫ୍ଏସ୍ଏଲ୍)ରେ ତାଙ୍କର ଏହି ପରୀକ୍ଷା କରାଯାଇଥିଲା।
ଏହି ସମ୍ବେଦନଶୀଳ ମାମଲାରେ ପୁଲିସ ଏପର୍ଯ୍ୟନ୍ତ ମୋଟ ୨୦ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ୫ରୁ ୬ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜୋରଦାର୍ ଉଦ୍ୟମ ଜାରି ରହିଛି। ଫେରାର୍ ଥିବା ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଗିରଫ ପରୱାନା (ୱାରେଣ୍ଟ) ହାସଲ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯିବ ବୋଲି ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ତଦନ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ତଦନ୍ତକାରୀ ଦଳ ପ୍ରକ୍ରିୟା ଆରମ୍ଭ କରିଛି।
ଗତ ମେ’ ୭ରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସେଦିନ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ଏବଂ ତାଙ୍କ ବନ୍ଧୁ ଓମ୍ ପ୍ରକାଶ ରାଉତ ଏକ ବାଇକ୍ରେ ଯାଉଥିବା ସମୟରେ ଏକ ସ୍କୁଟର୍ରେ ଯାଉଥିବା ଦୁଇଜଣ ଯୁବତୀଙ୍କ ସହ ଧକ୍କା ହୋଇଥିଲା।
ସୌମ୍ୟ ସେମାନଙ୍କୁ ଦୁର୍ବ୍ୟବହାର କରିବା ଏବଂ ଆକ୍ରମଣ ଉଦ୍ୟମ କରିଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ। ପ୍ରାୟ ୪୦ରୁ ୫୦ ଉତ୍ତ୍ୟକ୍ତ ଲୋକ କାହା କଥା ନ ଶୁଣି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ।
Powered by Froala Editor