୪ ଦିନ ଯାଏ ପ୍ରବଳ ବର୍ଷା: ଏହି ଜିଲ୍ଲାକୁ ହାଇ ଆଲର୍ଟ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପ୍ରଭାବରେ ଆଗାମୀ ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ରଥଯାତ୍ରାରେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ନିଂ ଦିଆଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ବରଗଡ଼, ଢେଙ୍କାନାଳ, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ନିଂ ଜାରି ହୋଇଛି। ଶୁକ୍ରବାର ମଧ୍ୟ ସମ୍ୱଲପୁର ଓ ଅନୁଗୋଳ ଜିଲାକୁ ପ୍ରବଳରୁ ଅତି ପ୍ରବଳ ଏବଂ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁବର୍ଣ୍ଣପୁର ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି।
Powered by Froala Editor