କ୍ୟାବିନେଟ: ସେତୁ ବନ୍ଧନ ଯୋଜନାକୁ ୨୦୩୦-୩୧ ଯାଏଁ ସମ୍ପ୍ରସାରଣ କରିବାକୁ ଅନୁମୋଦନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେହିପରି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ସେତୁ ବନ୍ଧନ ଯୋଜନାକୁ ୨୦୩୦-୩୧ ଯାଏଁ ସମ୍ପ୍ରସାରଣ କରିବାକୁ ଅନୁମୋଦନ ମିଳିଛି । ବର୍ତ୍ତମାନ ଚାଲୁ ରହିଥିବା ୧୪୧୭ଟି ସେତୁ ସମ୍ପୂର୍ଣ୍ଣ ସହିତ ୧୭୫୦ଟି ନୂତନ ସେତୁ ହାତକୁ ନେବା ପାଇଁ ୧୧୧,୮୦୦,୦୦ କୋଟିର ବ୍ୟୟବରାଦକୁ ମଞ୍ଜୁରୀ ମିଳିଛି । ୨୦୨୧-୨୨ ବର୍ଷରେ ୨୪୦୩ ଟି ସେତୁ ନିର୍ମାଣ ପାଇଁ ୧୮୭୭୯.୨୨ କୋଟି ବ୍ୟୟବରାଦ ସହ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଅବଧି ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ହୋଇଥିଲା ।
Powered by Froala Editor