୧୪ ଦିନ ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ
ପୁରୀ: ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦେଖିବାର ସୁଯୋଗ ମିଳିବ । ହେଲେ ଭକ୍ତଙ୍କୁ ଅଧିକ ସମୟ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ଦେବନି ପ୍ରଶାସନ । ସ୍ୱଳ୍ପ ସମୟ ନିମନ୍ତେ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଛାଡ଼ିବାକୁ ଯୋଜନା କରାଯାଇଛି । ଅତିବେଶିରେ ୨ରୁ ୩ଘଣ୍ଟା ଦର୍ଶନ ବ୍ୟବସ୍ଥାର ସୁବିଧା ଦେବାକୁ ପ୍ରାଶାସନିକ ପ୍ରସ୍ତୁତି ହୋଇଛି । ସେପଟେ ଏହା ପରଦିନ ଅର୍ଥାତ୍ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନର ସୁଯୋଗ ଭକ୍ତଙ୍କୁ ଆଦୌ ନଦେବାକୁ ପ୍ରାଶାସନିକ ନିଷ୍ପତ୍ତି ହୋଇଛି।
ଶ୍ରୀଜଗନ୍ନାଥ ମନ୍ଦିର ନୀତି ନିର୍ଘଣ୍ଟ ମୁତାବକ ମଙ୍ଗଳବାର ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ସକାଳ ୯ଟାରେ, ବନକଲାଗି ସକାଳ ୯ଟାରୁ ୧୨ଟା ଭିତରେ, ଶ୍ରୀସୁଦର୍ଶନ ଦେବ ବୁଣାଟ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ, ମଙ୍ଗଳ ଆଳତି ଦିନ ସାଢ଼େ ୧୨ଟା, ଅବକାଶ ଦିନ ୧ଟା ୧୫, ଦଶବତାର ଠାକୁରଙ୍କ ବାହୁଡ଼ା ବିଜେ ଦିନ ସାଢ଼େ ୧ଟା, ତାଟି ଫିଟିବା ଦିନ ୨ଟା ସୁଦ୍ଧା ହେବ । ଶ୍ରୀଜିଉମାନଙ୍କ ଦର୍ଶନ ସାଢ଼େ ୨ଟାରୁ ଆରମ୍ଭ ହେବ । ପ୍ରଥମେ ପାରମାଣିକ ଦର୍ଶନ (ଭିତର କାଠ ଠାରୁ) ଦିନ ସାଢ଼େ ୩ଟା ପର୍ଯ୍ୟନ୍ତ ଓ ପରେ ସର୍ବସାଧାରଣ ଦର୍ଶନ (ଭିତର କାଠା ଠାରୁ) ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଚାଲିବ । ନେତ୍ରୋତ୍ସବ ବନ୍ଦାପନା ସନ୍ଧ୍ୟା ସାଢ଼େ ୬ଟାରେ, ଗୋପାଳବଲ୍ଲଭ ଓ ସକାଳ ଧୂପ ରାତି ୯ଟା, ଭୋଗମଣ୍ଡପ ରାତି ସାଢ଼େ ୧୦ଟା ସୁଦ୍ଧା, ମଧ୍ୟାହ୍ନ ଧୂପ ରାତି ସାଢ଼େ ୧୨ଟା ସୁଦ୍ଧା, ସନ୍ଧ୍ୟା ଆଳତି ରାତି ୨ଟା ୧୦, ଦତ୍ତ ମହାପାତ୍ର ସେବକ ବନକ ଲାଗିକୁ ପ୍ରବେଶ ରାତି ୪ଟାରେ ହେବ ।
Powered by Froala Editor