ପିଆଜ ଦରରେ ଅଚାନକ ବୃଦ୍ଧି, ଚିନ୍ତାରେ ଗ୍ରାହକ
ଭୁବନେଶ୍ବର: କନ୍ଦାଇଲାଣି ପିଆଜ। ଗୋଦାମଠାରୁ ଆରମ୍ଭ କରି ଖୁଚୁରା ଦୋକାନ ପର୍ଯ୍ୟନ୍ତ, ସବୁଠି ବଢ଼ିଛି ଦର। କିଛି ଦିନ ତଳେ କ୍ବିଇଣ୍ଟାଲ ପିଛା ୨୨ଶହ ଟଙ୍କାରେ ବିକ୍ରି ହେଉଥିବା ପିଆଜ ୨୮ଶହ ଟଙ୍କା ଛୁଇଁଲାଣି। ଫଳରେ ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ପିଆଜ ଦରରେ ଅଚାନକ ବୃଦ୍ଧି ଯୋଗୁଁ ବଜାରରେ ଗ୍ରାହକଙ୍କ ଚିନ୍ତା ବଢ଼ିଛି। ନାସିକ୍ରେ ପିଆଜ ଦରବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ଓଡ଼ିଶା ବଜାରରେ ଦେଖିବାକୁ ମିଳିଥିବା କୁହାଯାଉଛି। ଖାଲି ପିଆଜ ନୁହେଁ, ଅଦା ଓ ରସୁଣ ଦର ମଧ୍ୟ ବଢ଼ିଥିବା ଜଣାଯାଇଛି।
ଓଡ଼ିଶାରେ ପିଆଜ ଅମଳ ନାହିଁ କହିଲେ ଚଳେ। ରାଜ୍ୟର ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ଏବଂ ନାସିକରୁ ପିଆଜ ଆଣି ବିକ୍ରି କରୁଛନ୍ତି। ନାସିକରେ ଫସଲ ନଷ୍ଟ ହୋଇଥିବାରୁ ସେଠାରେ ପିଆଜ ଦର ବଢ଼ିଛି। ବିଶେଷକରି, ନାସିକ ଓ ଅହମ୍ମଦନଗର ଜିଲାରୁ ବେଶି ପିଆଜ ଅମଳ ହୋଇଥାଏ। ସେଠାରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ। ପୂର୍ବରୁ ପିଆଜ କୁଇଣ୍ଟାଲ ପିଛା ଦର ୨୨ଶହ ଟଙ୍କା ଥିବା ବେଳେ ଏବେ ଦର ବୃଦ୍ଧି ପାଇବା ହେତୁ କୁଇଣ୍ଟାଲ ପିଛା ଦର ୨୮ଶହ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରସ୍ଥିତ ଆଇଗିଣିଆ ଗୋଦାମରେ ପିଆଜର ପାଇକାରୀ ଦର କୁଇଣ୍ଟାଲ ପିଛା ୨୨ଶହ ଟଙ୍କା ଥିବା ବେଳେ ଦର ବୃଦ୍ଧି ପାଇବାରୁ ଏବେ ଏହା ୨୮ଶହ ଟଙ୍କା ଛୁଇଁଛି। ସେହିପରି, ୟୁନିଟ୍-୧ ହାଟରେ କିଛି ଦିନ ତଳେ ପିଆଜ
କେଜି ପିଛା ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩୫ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ରାଜଧାନୀର ଗଳିକନ୍ଦିରେ ଥିବା ପରିବା ଦୋକାନୀ ପିଆଜ କେଜି ୪୦ଟଙ୍କାରୁ କମାଉ ନାହାନ୍ତି। ସମୟ ଥିଲା, ଭଞ୍ଜନଗର ପିଆଜ ରାଜ୍ୟବାସୀଙ୍କ ଆବଶ୍ୟକତା ମେଣ୍ଟାଉଥିଲା। କିନ୍ତୁ ସେଠାରେ ଆଉ ପିଆଜ ଚାଷ ହେଉନଥିବାରୁ ରାଜ୍ୟକୁ ଆନ୍ଧ୍ରପ୍ରଦେଶ ଏବଂ ନାସିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆନ୍ଧ୍ରପ୍ରଦେଶ ପିଆଜ ଶୀଘ୍ର ପଚି ଯାଉଥିବାରୁ ଓଡ଼ିଶା ବେପାରୀ ତାହାକୁ ବିଶେଷ ଭାବେ ଆମଦାନୀ କରୁନାହାନ୍ତି।
ସେହିପରି ଆଇଗିଣିଆ ଗୋଦାମରେ ଅଦା ଦର ଦୁଇଗୁଣା ବଢ଼ିଛି। ପୂର୍ବରୁ ଅଦାର ପାଇକାରୀ ମୂଲ୍ୟ କେଜି ପିଛା ୭୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ୧୪୦ଟଙ୍କା ଛୁଇଁଛି। କିନ୍ତୁ, ୟୁନିଟ-୪ ହାଟରେ ଅଦା ୨୫୦ଗ୍ରାମକୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ୧୦୦ଗ୍ରାମକୁ ୩୦ ଟଙ୍କାରେ ବିକ୍ରି କରାଯାଉଛି। ଅର୍ଥାତ୍ ଖୁଚୁରା ବେପାରୀମାନେ ଦୁଇଗୁଣା ଚଢ଼ାଦରରେ ଅଦା ବିକୁଛନ୍ତି। ଦିନ ଥିଲା, କୋରାପୁଟ ଅଦା ରାଜ୍ୟର ଆବଶ୍ୟକତାକୁ ମେଣ୍ଟାଇବା ସହ ପଡ଼ୋଶୀ ରାଜ୍ୟକୁ ରପ୍ତାନୀ ହେଉଥିଲା। ଏପରିକି, ବିଦେଶକୁ ମଧ୍ୟ କୋରାପୁଟ ଅଦା ରପ୍ତାନୀ ହେଉଥିଲା। ହେଲେ ବର୍ତ୍ତମାନ ପରିସ୍ଥିତିରେ କୋରାପୁଟରେ ଅଦା ଅମଳ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ରସୁଣ କିଲୋ ପିଛା ଦର ୭୦ରୁ ୮୦ ଟଙ୍କା ଥିବା ବେଳେ ଦର ବୃଦ୍ଧି ପାଇବାରୁ କିଲୋଗ୍ରାମ ୧୮୦ଟଙ୍କାରେ ପହଞ୍ଚିଛି। ମଧ୍ୟମ ଆକାର ରସୁଣ କିଲୋ ଦର ୧୭୦ ଟଙ୍କା ଏବଂ ଛୋଟ ରସୁଣ କିଲୋଗ୍ରାମ ପିଛା ଦର ୧୩୦ଟଙ୍କା ରହିଛି।
Powered by Froala Editor