ରାଜଧାନୀରେ ୧୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ
ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏନେଇ ଅଭିଯୋଗ ପରେ ପୋଲିସ ମାମଲା (ନଂ.୧୭୯/୨୬) ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲେ ଜଗତସିଂହପୁର ଜିଲା ବିରିଡ଼ି ଥାନା ମଙ୍ଗୁଳି ଗ୍ରାମର ଜଗନ୍ନାଥ ବାରିକ।
ସୂଚନା ଅନୁସାରେ, ନାବାଳିକାଙ୍କ ମା’ ଜଣେ ସ୍ବାମୀ ପରିତ୍ୟକ୍ତା। ସେ ୪ ବର୍ଷ ହେବ ରାଜଧାନୀରେ ଭଡ଼ାରେ ରହି ଆସୁଛନ୍ତି। ଅଭିଯୁକ୍ତ ଜଗନ୍ନାଥ ଜଣେ ଡ୍ରାଇଭର ଏବଂ ସେ ବିବାହିତ। ନାବାଳିକାଙ୍କ ମା’ ଜଗନ୍ନାଥଙ୍କ ଗାଡ଼ିରେ ଭଡ଼ାରେ ଯାଇଥିବାବେଳେ ଉଭୟଙ୍କ ପରିଚୟ ହୋଇଥିଲା। ୨ ବର୍ଷ ହେବ ସେମାନେ ଧଉଳି ଥାନା ଶିଶୁପାଳଗଡ଼ ଇନ୍ଦିରା ହାଉସିଂ କଲୋନୀରେ ଘର ଭଡ଼ା ନେଇ ରହିଥିଲେ। ଅଭିଯୁକ୍ତ ଜଗନ୍ନାଥ ନାବାଳିକାଙ୍କ ମା’ଙ୍କ ସହିତ ସମ୍ପର୍କ ରଖିବା ପରେ ତାଙ୍କର ୧୪ ବର୍ଷର ଝିଅ ଉପରେ ନଜର ପଡ଼ିଥିଲା। ଘରେ କେହି ନ ଥିବା ଅବସ୍ଥାରେ ଜଗନ୍ନାଥ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଗତ ୬ ତାରିଖରେ ପୁଣି ଦୁଷ୍କର୍ମ କରିବାରୁ ନାବାଳିକା ଆଉ ସହ୍ୟ କରି ନ ପାରି ଥାନାରେ ଅଭିଯୋଗ କରିଥିଲେ।
Powered by Froala Editor