ଜୀବିତ ଥିଲେ ରୋଗୀ, ଡାକ୍ତର ଘୋଷଣା କଲେ ମୃତ
କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା ନ କରି ଡାକ୍ତର ମୃତ ଘୋଷଣା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ରୋଗୀଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରକାଶ ଯେ, ପରଜଙ୍ଗ ଥାନା ବସୁଲେଈ ଗ୍ରାମର ଚୈତନ୍ୟ କୁମାର ପରିଡ଼ା ଜାମୁ ଗଛରେ ଚଢ଼ି କୋଳି ତୋଳୁଥିବା ବେଳେ ଅସାବଧାନତା କାରଣରୁ ଗଛରୁ ଖସିପଡ଼ିଥିଲେ। ସେ ଗୁରୁତର ଅବସ୍ଥାରେ ଗଛତଳେ ପଡ଼ିଥିବା ଦେଖି କେତେଜଣ ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେବା ସହ ପ୍ରାଥମିକ ଚିକିତ୍ସା ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କାମାକ୍ଷାନଗର ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକ ଚୈତନ୍ୟଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା ନ କରି ମୃତ ଘୋଷଣା କରିଥିଲେ। ରୋଗୀଙ୍କ ପଲ୍ସ ଚାଲୁଥିବା ବେଳେ ଚିକିତ୍ସା ନ କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ନେଇ ରୋଗୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପରେ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରିବା ସହିତ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ l
Powered by Froala Editor