ସାଧୁସନ୍ଥଙ୍କ ଭବ୍ୟ ଉପସ୍ଥିତି ଓ ଦିବ୍ୟାଙ୍ଗଙ୍କ ‘ଭକ୍ତି ଅର୍ଘ୍ୟ’ରେ ପାଳିତ ହେଲା ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର
ଭୁବନେଶ୍ୱର, ୧୦.୦୭.୨୦୨୬: ଭଞ୍ଜକଳା ମଣ୍ଡପଠାରେ ଆଜି ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର ଦିବସ ଭବ୍ୟ ଭାବେ ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭକ୍ତି ଅର୍ଘ୍ୟ’ ମୁଖ୍ୟ ଆକର୍ଷଣ ସାଜିଥିଲା। ବିଶେଷକରି ଏହି କାର୍ଯ୍ୟକ୍ରମରେ କେବଳ ଦିବ୍ୟାଙ୍ଗ କଳାକାରମାନେ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ଭକ୍ତିରସରେ ବିଭୋର କରିଥିଲେ। ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ସାଇ କିରଣଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ମଧ୍ୟ ଦର୍ଶକଙ୍କ ବେଶ୍ ପ୍ରଶଂସା ସାଉଁଟିଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥାପକ ଡ଼. ଶ୍ରୀନିବାସ ଘଟୁଆରୀ ଓ ସଂସ୍କୃତି ଗବେଷକ ଡ଼. ପ୍ରଫୁଲ୍ଲ ରଥଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିକୁ ନେଇ ଏକ ସାରଗର୍ଭିତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଶେଷରେ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ରାକେଶ କୁମାର ରାଉଳ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ଓ ସାଧ୍ବୀମାନଙ୍କ ସମେତ ବରିଷ୍ଠ ରାଜନେତା ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ସଜ୍ଜନ ଶର୍ମା, ଶ୍ରୀ ଗୋଲକ ମହାପାତ୍ର, ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ବିଜେପି ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ଏବଂ ସମାଜସେବୀ ବାପୁ ଓଝା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ।
Powered by Froala Editor