ଶିଶୁ ବାଟିକା ପାଇଁ ନିଯୁକ୍ତ ହେବେ ୭ ହଜାର ୨୩୪ ଜଣ ଶିକ୍ଷକ
ରାଜ୍ୟର ୪୫ ହଜାର ସ୍କୁଲରେ ଆରମ୍ଭ ହୋଇଛି ଶିଶୁ ବାଟିକା ଶ୍ରେଣୀ । ଅଙ୍ଗନବାଡ଼ିରୁ ସିଧା ପ୍ରଥମ ଶ୍ରେଣୀ ନୁହେଁ ଶିଶୁବାଟିକାରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ସରକାର ଶିଶୁଙ୍କ ଯତ୍ନ ନେବାକୁ ଶିଶୁ ସେବିକା ନିଯୁକ୍ତି ଦେଇଛନ୍ତି । ମାତ୍ର ଏବେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ୭ ହଜାର ୨୩୪ ଜଣ ଶିକ୍ଷକ ।
ଉଲ୍ଲେଖଯୋଗ୍ୟ, ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ସ୍କୁଲରେ ଚଳିତ ଶିକ୍ଷାବର୍ଷରୁ ଶିଶୁ ବାଟିକା ଖୋଲାଯାଇଛି । ଏଥିରେ ୫ରୁ ୬ ବର୍ଷ ବୟସର ପିଲାଙ୍କୁ ପ୍ରାକ୍ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଗତ ଶିକ୍ଷାବର୍ଷରେ ୩ଲକ୍ଷ ୧୦ ହଜାର ୮୩୯ ଜଣ ଛାତ୍ରଛାତ୍ରୀ ନାମଲେଖାଇଥିଲେ । ସେମାନଙ୍କ ପାଇଁ ଯତ୍ନ ନେବା ପାଇଁ ଶିଶୁ ସେବିକା ନିଯୁକ୍ତି କରାଯାଇଛି । ଯେଉଁ ସ୍କୁଲରେ ୩୦ରୁ ୧୦୦ ପିଲା ମଧ୍ୟରେ ଥିବା ସ୍କୁଲ ପାଇଁ ଜଣେ ଏବଂ ୧୦୦ରୁ ଅଧିକ ଥିଲେ ଦୁଇଜଣ ଶିଶୁ ସେବିକା ନିଯୁକ୍ତି ଦେବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଏବେ ଶିଶୁମାନଙ୍କ ବୌଦ୍ଧିକ ବିକାଶ ସେମାନଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି ୨୦୨୦ ସହ ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (ଇସିସିଇ)କୁ ସୁଦୃଢ଼ କରିବା ପାଇଁ ସରକାର ଶିଶୁ ବାଟିକା ଶ୍ରେଣୀ ପାଇଁ ଶିକ୍ଷକ ପଦବି ସୃଷ୍ଟି କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠିରେ ଜଣାଇଛି, ମୋଟ ୭ ହଜାର ୨୩୪ଟି ଶିକ୍ଷକ ପଦବି ପାଇଁ ଅନୁମୋଦନ ଦିଆଯାଇଛି । ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ପ୍ରତି ଶିକ୍ଷକଙ୍କୁ ମାସିକ ୨୬ ହଜାର ୨୦୦ ଟଙ୍କା ପାରିଶ୍ରମିକ ଦିଆଯିବ । ଏଥିପାଇଁ ସମଗ୍ର ଶିକ୍ଷା ପାଣ୍ଠିରୁ ବାର୍ଷିକକ ୨୨୭ କୋଟି ୪୩ ଲକ୍ଷ ୬୯ ହଜାର ୬୦୦ ଟଙ୍କା ଖର୍ଚ୍ଚ ହେବ ।
Powered by Froala Editor