ଚାକିରିରୁ ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା
ଭୁବନେଶ୍ୱର: ଚାକିରିରୁ ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି। ସେ ହେଉଛନ୍ତି ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର।
ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟ କରିବା ପୂର୍ବରୁ ସେ କଟକର ଡିସିପି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୫ ଦିନ ତଳୁ ସେ ଇସ୍ତଫାପତ୍ର ପଠାଇ ସାରିଥିବା ସୂଚନା ମିଳିଛି। ତେବେ ଯଦି ତାଙ୍କର ଇସ୍ତଫାପତ୍ର ସରକାର ମଞ୍ଜୁର କରନ୍ତି, ତାହେଲେ ୩୭ ବର୍ଷୀୟ ଆଇପିଏସ୍ ଅଫିସର ଘରୋଇ ସେକ୍ଟରରେ ଚାକିରି କରିପାରନ୍ତି।
ସୂଚନା ଥାଉକି, ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କମିଶନରେଟ୍ ପୁଲିସ ଦୁର୍ନାମ ମୁଣ୍ଡାଇଥିବା ବେଳେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଭିଡ଼ ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାରୁ ସେ ଚାପରେ ଥିବା କୁହାଯାଉଛି। ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମୀନାଙ୍କ ହଠାତ୍ ଇସ୍ତଫା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଇସ୍ତଫା ପରେ DCP ଜଗମୋହନ ମୀନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛି। ରାଜ୍ୟବାସୀଙ୍କ ସେବା କରି ନିଜକୁ ସନ୍ତୁଷ୍ଟି ମନେ କରୁଛି। କାର୍ଯ୍ୟ ସମୟରେ ସେମିତି କୌଣସି ପ୍ରେସର୍ ନଥିଲା। ଓଡ଼ିଶାବାସୀଙ୍କ ସେବା କରି ମୁଁ ବହୁତ୍ ଖୁସି।
Powered by Froala Editor