ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଦିଆଯିବ ନାହିଁ ରନ୍ଧା ଖାଦ୍ୟ
ପୁରୀ: ଏ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ । କିନ୍ତୁ ଶୁଖିଲା ଖାଦ୍ୟ ବଣ୍ଟା ଯାଇପାରିବ । ଫଳରେ ପରିବେଶ ଅସ୍ୱାସ୍ଥ୍ୟକର ହେବ ନାହିଁ । ଶୁକ୍ରବାର ପୁରୀ ସର୍କିଟ ହାଉସ୍ଠାରେ ନଗର ଉନ୍ନୟନ ବିଭାଗର ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ନେଇ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରାର ପ୍ରାଶାସନିକ ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହାର ୧୦ ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହାକୁ ସୁପରିଚାଳନା ନିମନ୍ତେ ପୁରୀ ମହାନଗର ନିଗମ କର୍ତ୍ତୃପକ୍ଷ କେତେଦୂର ପ୍ରସ୍ତୁତ ହୋଇଛନ୍ତି ତାହାର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ । ସହରକୁ ସଫାସୁତୁରା ରଖିବା, ସୁସ୍ଥ ପରିବେଶ ସୃଷ୍ଟି କରିବା, ଶୌଚାଳୟ ବ୍ୟବସ୍ଥା କରିବା, ପାର୍କିଂ, ଆଲୋକୀକରଣ ଇତ୍ୟାଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଶାସନିକ ସୂଚନା ମୁତାବକ, ସହରର ସମସ୍ତ ନଳାକୁ ସଫା କରାଯାଇଛି । ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଡ୍ରେନ୍ ଗୁଡ଼ିକ ଜାଗୃତି ୱେଲଫେୟାର ସଂସ୍ଥା ଦ୍ୱାରା ସଫା କରାଯାଇଛି । ୨୪ଟି ପାର୍କିଂ ସ୍ଥଳ ପାଇଁ ବ୍ୟବସ୍ଥା କରାଯାଇଛି । ସହରର ସମସ୍ତ ସାହି, ଗଳି ରାସ୍ତା ମରାମତି କାମ ଓ ଛୋଟ ଗାତ ମରାମତି କାମ ସମ୍ପୂର୍ଣ୍ଣ ହୋଇଛି । ବୁଲାଗୋରୁଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦାର ବ୍ୟବସ୍ଥା କରାଯାଇଛି। ବର୍ଷାକୁ ଆଖି ଆଗରେ ରଖି ୩୦ଟି ଖାଲୁଆ ଅଞ୍ଚଳରୁ ଜଳ ନିଷ୍କାସନ କରିବା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସରିଛି । ଏହି ସ୍ଥାନମାନଙ୍କରେ ଉଚ୍ଚ ଶକ୍ତି ସଂପନ୍ନ ପମ୍ପ ସେଟ୍ ରଖାଯାଇଛି ।
Powered by Froala Editor