ମନରେଗା କାର୍ଯ୍ୟରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ: ଗିରଫ ହେଲେ ଦୁଇ ଯନ୍ତ୍ରୀ
କନ୍ଧମାଳ: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ଦୁଇଜଣ ଯନ୍ତ୍ରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା।
ତଦନ୍ତରୁ ଜଣାପଡ଼ିଛି ଯେ, କୋଟଗଡ ବ୍ଲକ ଅନ୍ତର୍ଗତ ଧରାକୋଟ ପଞ୍ଚାୟତରେ ମନରେଗା ଯୋଜନାରେ ପୋଖରୀ ଖନନ, ରାସ୍ତା ନିର୍ମାଣ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ଏହି ଦୁଇ ଯନ୍ତ୍ରୀ ମିଳିତ ଭାବେ ପ୍ରାୟ ୪୨ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରହିଛି। ତଦନ୍ତ ରିପୋର୍ଟରେ ଏହି ଅନିୟମିତତା ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ସେମାନଙ୍କୁ ଗିରଫ କରି ଜେରା କରୁଛି। ଏହାସହ ଦୁର୍ନୀତି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ସମ୍ପତ୍ତିର ଉତ୍ସ ଓ ପରିମାଣ ନେଇ ଭିଜିଲାନ୍ସ ପୃଥକ ତଦନ୍ତ କରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି ଦୁର୍ନୀତି ମାମଲାରେ ଧରାକୋଟ ପଞ୍ଚାୟତର ନିର୍ବାହୀ ଅଧିକାରୀ ସୂତନୟନ ମହାଙ୍କୁଡ଼ ଓ ଏଡିଓ କାଂଶିରାମ ଦିଗାଲଙ୍କ ସମ୍ପୃକ୍ତି ପ୍ରଶାସନିକ ତଦନ୍ତରେ ସାମ୍ନାକୁ ଆସିଥିଲା। ଏହାପରେ କନ୍ଧମାଳ ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।ସେହିପରି, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ସରକାରଙ୍କୁ ସୁପାରିସ କରିଥିଲେ।
Powered by Froala Editor