ନଦୀର ପ୍ରଖର ସ୍ରୋତରେ ବୁଡ଼ିଯାଇ ଦୁଇ ଛାତ୍ର ମୃତ, ଜଣେ ନିଖୋଜ
କଟକ : ଜଗତପୁର ଥାନା ଅନ୍ତର୍ଗତ ମହାନଦୀର ସାତବାଟିଆ ନିକଟବର୍ତ୍ତୀ ଖଇରା ଘାଟରେ ବଡ଼ ଅଘଟଣ ଘଟିଛି। ନଦୀର ପ୍ରଖର ସ୍ରୋତରେ ବୁଡ଼ିଯାଇ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ରହିଛନ୍ତି। ନିଖୋଜଙ୍କୁ ଉଦ୍ଧାର କରିବା ଲାଗି ପୁଲିସ ଓ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ଣରେ ନୂଆ ବଜାର ଅଞ୍ଚଳର ୪ ସାଙ୍ଗ ଗାଧୋଇବା ପାଇଁ ସାତବାଟିଆ ନିକଟ ମହାନଦୀକୁ ଯାଇଥିଲେ। ୪ ସାଙ୍ଗ ଗାଧୋଉଥିବା ବେଳେ କଲ୍ୟାଣୀନଗର ଅଞ୍ଚଳର ଅମ୍ଳାନ ପ୍ରସାଦ ନାୟକ (୨୦) ନଦୀ ସ୍ରୋତରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ୩ ସାଙ୍ଗ ଜଗତସିଂହପୁର କ୍ରିଷ୍ଣାନନ୍ଦପୁର ଲଙ୍କାପଡ଼ାର ମୂଳ ବାସିନ୍ଦା ତଥା ନୂଆ ବଜାର ମହିମା ନଗରରେ ରହୁଥିବା ପ୍ରତ୍ୟୁଷ ସ୍ବାଇଁ (୨୦), ପୋତାପୋଖରୀର ଅରଜିତ୍ ସାହୁ (୨୧) ଓ ନୂଆବଜାର ବେଲେଶ୍ବରର ମୁକ୍ତି ପ୍ରସାଦ ଦାସ (୨୧) ଚେଷ୍ଟା କରିଥିଲେ। ପ୍ରତ୍ୟୁଷ ସୌଭାଗ୍ୟବଶତଃ କୂଳକୁ ଚାଲି ଆସିଥିଲେ। ମାତ୍ର ଅନ୍ୟ ୩ ସାଙ୍ଗ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ବାହିନୀର ତିନିଟି ଟିମ ଦୀର୍ଘ ସମୟ ଖୋଜାଖୋଜି କରି ପ୍ରଥମେ ମୁକ୍ତି ପ୍ରସାଦ ଓ ପରେ ଅମ୍ଳାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅରଜିତ୍ ଏବେ ବି ନିଖୋଜ ଅଛନ୍ତି।
Powered by Froala Editor