୧ ରୁ ପାସପୋର୍ଟ ଦେୟ ମହଙ୍ଗା
ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅଧୀନରେ ଏ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଫି’ ତାଲିକା ଅନୁଯାୟୀ ୧୮ ବର୍ଷ ବା ତା’ଠାରୁ ଅଧିକ ବୟସ୍କ ଆବେଦନକାରୀଙ୍କ ପାଇଁ ସାଧାରଣ ପାସପୋର୍ଟ ଦେୟ ୧୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ତତ୍କାଳ ଦେୟ ୩୫୦୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ନାବାଳକ (୧୮ ବର୍ଷରୁ କମ୍)ଙ୍କ ପାଇଁ ୩୬ ପୃଷ୍ଠାର ନୂଆ କିମ୍ବା ପୁନଃ-ଇସ୍ୟୁ ପାସପୋର୍ଟ ପାଇଁ ସାଧାରଣ ଫି’ ୧୦୦୦ ଟଙ୍କାରୁ ବୃଦ୍ଧି ପାଇ ୧୭୫୦ ଟଙ୍କା ହୋଇଥିବା ବେଳେ ତତ୍କାଳ ଫି’ ୪୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପାସପୋର୍ଟ ହଜିଯାଏ ବା ନଷ୍ଟ ହୁଏ ତେବେ ୩୬ ପୃଷ୍ଠାର ନୂଆ ପାସପୋର୍ଟ ପାଇଁ ୫,୦୦୦ ଟଙ୍କା (ସାଧାରଣ) ଏବଂ ୭,୫୦୦ ଟଙ୍କା (ତତ୍କାଳ) ଦେବାକୁ ପଡ଼ିବ। ୬୦ ପୃଷ୍ଠା ବିଶିଷ୍ଟ ବୁକଲେଟ୍ ପାଇଁ ୬,୦୦୦ ଟଙ୍କା (ସାଧାରଣ) ଏବଂ ୮,୫୦୦ ଟଙ୍କା (ତତ୍କାଳ) ଫି’ ରଖାଯାଇଛି। ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ (ପିସିସି), ସରେଣ୍ଡର ସାର୍ଟିଫିକେଟ୍ ଏବଂ ଗ୍ଲୋବାଲ ଏଣ୍ଟ୍ରି ପ୍ରୋଗ୍ରାମ ଯାଞ୍ଚ ପାଇଁ ଫି’ ୫୦୦ ଟଙ୍କାରୁ ବଢ଼ାଇ ୭୫୦ ଟଙ୍କା କରାଯାଇଛି। ଏହା ସହିତ ୮ ବର୍ଷରୁ କମ୍ ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ମିଳୁଥିବା ୧୦% ରିଆତି ବ୍ୟବସ୍ଥା ଜାରି ରହିବ।
Powered by Froala Editor