ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର, କାର୍ଯ୍ୟାନୁଷ୍ଠାନ ହେବ
ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଉନ୍ନୟନ କମିସନରଙ୍କ ନେତୃତ୍ବରେ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି। ଏଥିସହିତ କାହାକୁ ଦାୟୀ କରାଯାଇଛି, କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଉପରେ ନଜର ରହିଛି। ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଚିତ୍ର ମିଳିପାରୁ ନାହିଁ।
ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି। ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଲାଗୁଛି। ତଦନ୍ତ ପାଇଁ କମିଟି ଗଠନ ହୋଇଛି, ୭ ଦିନ ଭିତରେ ରିପୋର୍ଟ ଆସିବ। ଷଡ଼ଯନ୍ତ୍ର ଥିଲେ ରିପୋର୍ଟ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
୨୦୨୬-୨୭ ଶିକ୍ଷାବର୍ଷକୁ ୩ ମାସ ବିତିଯାଇଥିଲେ ମଧ୍ୟ ପିଲାଙ୍କ ପାଠପଢ଼ା କିଭଳି ହେବ ତାହା ବୁଝାପଡ଼ୁନି। ଅନ୍ୟପକ୍ଷରେ କାହାର ଭୁଲ୍ ପାଇଁ ୨ କୋଟି ୭୨ ଲକ୍ଷ ବହିରେ ତ୍ରୁଟି ହେଲା ସେ ବିବାଦ ବଢ଼ୁଛି। ପାଠ୍ୟପୁସ୍ତକ ଶୀଘ୍ର ପ୍ରସ୍ତୁତ କରିବାକୁ ତତ୍କାଳୀନ ଏସ୍ସିଇଆର୍ଟି ନିର୍ଦ୍ଦେଶକ କହିଥିବା ସମ୍ପର୍କରେ ସମ୍ପାଦନା ଓ ସମୀକ୍ଷକ ମଣ୍ଡଳୀର ସଦସ୍ୟମାନେ ଅଭିଯୋଗ ଆଣୁଛନ୍ତି। ଡିଟିପି ଓ ଡିଜାଇନ୍ ପ୍ରସ୍ତୁତ କରିଥିବା ସଂସ୍ଥା ପକ୍ଷରୁ ସମୀକ୍ଷକଙ୍କୁ ଦାୟୀ କରାଯାଇଛି। ପାଠ୍ୟପୁସ୍ତକଗୁଡ଼ିକୁ ସମୀକ୍ଷା ପାଇଁ ୫ ଥର ପଠାଯାଇଥିଲା ବୋଲି ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି। ଏତେ ଥର ସଂଶୋଧନ ପାଇଁ ପଠାଯିବା ପରେ କାହିଁକି ତ୍ରୁଟି ରହିଲା ତାହାକୁ ନେଇ ଡିଟିପି ଅପରେଟରମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
Powered by Froala Editor