ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ଜିମ୍ରେ ଗୁଳିମାଡ଼
ରାଜଧାନୀ ଦିଲ୍ଲୀରେ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱାଙ୍କ ମାଲିକାନାରେ ଥିବା ଏକ ହାଇପ୍ରୋଫାଇଲ୍ ଜିମ୍ ବାହାରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିଚାଳନା କରିଛନ୍ତି । ଦିଲ୍ଲୀ ପୁଲିସ ପକ୍ଷରୁ ଜାରି କରାଯାଇଥିବା ଆଧିକାରିକ ବୟାନ ଅନୁଯାୟୀ, ଗୁରୁବାର ଭୋର ସମୟରେ ପଶ୍ଚିମ ବିହାର ଇଷ୍ଟ ଥାନା ଅନ୍ତର୍ଗତ ପୁଷ୍କର ଏନକ୍ଲେଭ୍ରେ ଥିବା "୨୪ ଆୱାର୍ସ ଫିଟନେସ୍" ଜିମ୍ରେ ଗୁଳିଚାଳନା ନେଇ ଏକ ପିସିଆର୍ କଲ୍ ମିଳିଥିଲା । ଦିଲ୍ଲୀ, ପଶ୍ଚିମ ବିହାର, ୨୪ ଆୱାର୍ସ ଫିଟନେସ୍ ଜିମ୍ରେ ସକାଳ ସମୟରେ ମୁହଁରେ କପଡ଼ା ବାନ୍ଧିଥିବା ୨ ଜଣ ଅଜ୍ଞାତ ବାଇକ୍ ଚାଳକ ଗୁଳିଚାଳନା କରିଥିଲେ । ଗୁଳିକାଣ୍ଡରେ ଜିମ୍ର କାଚଗୁଡ଼ିକ ଭାଙ୍ଗି ଚୂରମାର୍ ହୋଇଯାଇଛି । ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।
ଘଟଣାର କିଛି ସମୟ ପରେ ସୋସିଆଲ ମିଡିଆରେ ଏକ କଥିତ ପୋଷ୍ଟ ଏବଂ ଅଡିଓ କ୍ଲିପ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଲରେନ୍ସ ଗ୍ୟାଙ୍ଗ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଭାଇରାଲ୍ ଅଡିଓରେ ଗ୍ୟାଙ୍ଗର ଜଣେ ସଦସ୍ୟ କହୁଥିବାର ଶୁଣାଯାଉଛି ଯେ, "ଗୁରୁ ରନ୍ଧାୱାଙ୍କର ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନଙ୍କ ସହ ଅତି ନିବିଡ଼ ସମ୍ପର୍କ ରହିଛି, ସେଥିପାଇଁ ତାଙ୍କୁ ଟାର୍ଗେଟ୍ କରାଯାଇଛି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସର ଏକାଧିକ ସ୍ପେଶାଲ୍ ଟିମ୍ ଏବଂ ଜିଲ୍ଲା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ଜିମ୍ ବାହାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍ ଏବଂ ଭିଜୁଆଲ୍ସକୁ ନିଜ କବଜାକୁ ନେଇଛି ।
Powered by Froala Editor