ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ
ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି। ଇରାନର ଅନେକ ଅଞ୍ଚଳ ଉପରେ ଆମେରିକା ଜୋରଦାର ଆକ୍ରମଣ କରିଛି। ଦକ୍ଷିଣ ଇରାନର ସିରିକ, ମିନାବ, ବନ୍ଦର ଆବ୍ବାସ, କେଶମ ଦ୍ୱୀପ ଓ ଗୋରଗାନ ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।
ଇରାନ ମଧ୍ୟ ପାଲଟା ଆକ୍ରମଣ କରିଛି। ଏଥିସହ ହୋର୍ମୁଜକୁ ବନ୍ଦ କରିଦେଇଛି। ଆଉ ଚେତାବନୀ ଦେଇ କହିଛି, କୌଣସି ତେଲ ଟ୍ୟାଙ୍କର ଆସିଲେ ଆମେ ଉଡାଇ ଦେବୁ। ଇରାନର ଶୀର୍ଷ ମିଳିତ ସାମରିକ କମାଣ୍ଡ ଗୁରୁବାର ଏହା ଘୋଷଣା କରିଛି। ଇରାନ ସେନା କହିଛି ଯେ ଏହି ସମୁଦ୍ର ପଥ ଦେଇ କୌଣସି ତେଲ ଟ୍ୟାଙ୍କର କିମ୍ବା ବାଣିଜ୍ୟିକ ଜାହାଜ ଯିବାକୁ ଅନୁମତି ଦିଆଯିବ ନାହିଁ। କମାଣ୍ଡ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରି ଗୁଳି ମରାଯିବ। ଜାହାଜର ସୁରକ୍ଷା ସେମାନଙ୍କର ନିଜସ୍ୱ ଦାୟିତ୍ୱ ହେବ।
ଇରାନ୍ ଉପରେ ଆକ୍ରମଣର କେଇ ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କହିଥିଲେ, ଇରାନ ଉପରେ ଏଥର ଆକ୍ରମଣ ଜୋରଦାର କରାଯିବ। ସେଥିପାଇଁ ଆମେରିକା ପ୍ରସ୍ତୁତ କରିଦେଇଛି। ଯଦି ଇରାନ ଆଭିମୁଖ୍ୟ ନବଦଳାଏ, ତାହାହେଲେ କାର୍ୟ୍ୟାନୁଷ୍ଠାନ ଜାରି ରହିବ ବୋଲି ଟ୍ରମ୍ପ କହିଥିଲେ।
ଟ୍ରମ୍ପଙ୍କ ଘୋଷଣା ପରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି। ଏହା ପଶ୍ଚିମ ଏସିଆରେ ନୂତନ ଯୁଦ୍ଧ ଏବଂ ତୈଳ ଏବଂ ଗ୍ୟାସ ମୂଲ୍ୟ ବୃଦ୍ଧିର ଆଶଙ୍କା ବୃଦ୍ଧି କରିଛି। ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଉପସାଗରୀୟ ଦେଶଗୁଡ଼ିକରୁ ବିଶ୍ୱର ଏକ ବଡ଼ ଅଂଶକୁ ତୈଳ ଏବଂ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଛି। ଭାରତ ମଧ୍ୟ ଏହା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛି ଏବଂ ଏହା ଭାରତରେ ତେଲ ଏବଂ ଗ୍ୟାସ ସଙ୍କଟକୁ ଆହୁରି ଖରାପ କରିପାରେ।
Powered by Froala Editor