ଓପିଏସ୍ସି ପରୀକ୍ଷାରେ ବଲିଉଡ୍ ଫିଲ୍ମ ଷ୍ଟାଇଲରେ ଚାଲିଥିଲା କପି, ଛାତ୍ର ଗିରଫ
କଟକ : ଅନ୍ତଃବସ୍ତ୍ର ଭିତରେ ଥିଲା ଫୋନ୍ । ଲମ୍ବା ଚୁଟି ଭିତରେ ଲୁଚେଇ ରଖାଯାଇଥିଲା ଇୟର୍ବଡ୍ । ଫୋନ୍ କଲ୍ରେ ଡକାଯାଉଥିଲା ପ୍ରଶ୍ନ । ପ୍ରଶ୍ନ ଶୁଣି ଗୁଗୁଲ୍ ସର୍ଚ୍ଚ କରି ଜଣେ ଯୁବକ ଦେଉଥିଲେ ଉତ୍ତର । ପୂରା ବଲିଉଡ୍ ଫିଲ୍ମ ମୁନ୍ନା ଭାଇ ଏମ୍ବିବିଏସ୍ ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବା (ଓପିଏସ୍ସି) ପରୀକ୍ଷାରେ କରାଯାଉଥିଲା କପି । ହଠାତ୍ ସ୍କ୍ୱାଡ୍ ପଶି ଯାଞ୍ଚ୍ କରିବାରୁ ଧରାପଡ଼ିଗଲେ ଛାତ୍ର ଜଣକ । ତୁରନ୍ତ ସେଣ୍ଟରରୁ ବାହାର କରି ମର୍କତନଗର ଥାନା ପୁଲିସ ଜିମା ଦିଆଗଲା ।
କପି କରି ଧରାପଡିଥିବା ସଂପୃକ୍ତ ପରୀକ୍ଷାର୍ଥୀ ହେଉଛି କଟକ ଚାଉଳିଆଗଞ୍ଜ ଅଞ୍ଚଳର। ଉକ୍ତ ଛାତ୍ରଙ୍କୁ କପି କରିବାରେ ସହଯୋଗ କରୁଥିବା ଅନ୍ୟ ୩ ଜଣ ମଧ୍ୟ ଗିରଫ ହୋଇଛନ୍ତି । ତନ୍ମଧ୍ୟରୁ ଫୋନ୍ରେ ପ୍ରଶ୍ନ ଶୁଣି ଉତ୍ତର ଦେଉଥିବା ଜଗତସିଂହପୁର ଅଞ୍ଚଳର ଯୁବକ ଜଣକ ଏକ କୋଚିଂ ସେଣ୍ଟର ସହିତ ଜଡ଼ିତ ଥିବା କୁହାଯାଉଛି । ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ସଂପୂର୍ଣ୍ଣ ଘଟଣା ବିଷୟରେ ଜାଣିଥିବାରୁ ଏହି କାରବାରରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସାମିଲ ଥିବା ପୁଲିସ କହିଛି । ସେହି ଦୁଇ ଯୁବକ ସିଡିଏରେ ରହୁଥିବା ବେଳେ ଉଭୟଙ୍କ ଘର ଢେଙ୍କାନାଳ ଓ ଝାଡ଼ଖଣ୍ଡରେ । ଅଭିଯୁକ୍ତଙ୍କଠାରୁ ମର୍କତନଗର ଥାନା ପୁଲିସ ୪ଟି ଫୋନ୍, ଗୋଟିଏ ଇୟରବଡ୍ ଓ ଅନ୍ୟ କିଛି ଜିନିଷପତ୍ର ଜବତ କରିଛି ।
ରବିବାର ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷା ଆୟୋଜିତ ହୋଇଥିଲା । ମର୍କତନଗର ଥାନା ଅନ୍ତର୍ଗତ ଏକ ଇଂଜିନିୟରିଂ କଲେଜରେ ସେଣ୍ଟର୍ ହୋଇଥିଲା । ଉକ୍ତ ସେଣ୍ଟରରେ ଶତାଧିକ ଆଶାୟୀ ପରୀକ୍ଷା ଦେଉଥିଲେ । ସେମାନଙ୍କ ମଧ୍ୟରେ ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ଯୁବକ ମଧ୍ୟ ପରୀକ୍ଷା ଦେଉଥିଲେ । ହଠାତ୍ ସେଣ୍ଟର ମଧ୍ୟକୁ ସ୍କ୍ୱାଡ୍ ଆସି ତନଖି କରିଥିଲେ । ଇତିମଧ୍ୟରେ ଉକ୍ତ ଯୁବକଙ୍କ ଗତିବିଧି ନେଇ ସ୍କ୍ୱାଡ୍ର ସନ୍ଦେହ ହୋଇଥିଲା । ତେଣୁ ସ୍କ୍ୱାଡ୍ ସେଠାରେ ଯାଞ୍ଚ୍ କରିବାରୁ ଯୁବକଙ୍କ କାନ ତଳୁ ଏକ ଇୟର୍ ବଡ୍ ଓ ଅନ୍ତଃବସ୍ତ୍ର ତଳୁ ଏକ ସ୍ମାର୍ଟଫୋନ୍ ମିଳିଥିଲା । ଏହି ସମୟରେ ଏକ କଲ୍ ଚାଲିଥାଏ । ଜଣେ ଯୁବକଙ୍କ ସହିତ କଲ୍ କନେକଟେଡ୍ ରହିଥାଏ । ସ୍କ୍ୱାଡ୍ ସଦସ୍ୟ ତୁରନ୍ତ ଉକ୍ତ ଯୁବକଙ୍କୁ ସେଣ୍ଟର୍ରୁ କାଢ଼ିଦେଇ ପୁଲିସ ଜିମା ଦେଇଥିଲେ । ପୁଲିସ ସେଠାରେ ଚଢ଼ଉ କରି ଉକ୍ତ ଯୁବକଙ୍କୁ ଧରିଥିଲା । ଦୁଇ ଯୁବକଙ୍କୁ ଥାନାକୁ ନେଇ ଜେରା କରିବା ପରେ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।
ଦୀର୍ଘ ଦିନ ହେବ ଯୁବକ ଜଣକ ପରୀକ୍ଷାରେ ଅକୃତକାର୍ଯ୍ୟ ହେଉଥିଲେ । ତେଣୁ ସେ ଏଭଳି ପନ୍ଥା ଆପଣାଇଥିବା ସ୍ୱୀକାର କରିଛନ୍ତି । ତେବେ ଉକ୍ତ ଯୁବକଙ୍କ ହ୍ୱାଟ୍ସଆପ୍ ଚାଟ୍ ଦେଖିବାରୁ ଏହି କପି କରିବା ବିଷୟ ଅନ୍ୟ ଦୁଇ ଜଣ ଯୁବକ ପୂର୍ବରୁ ଜାଣିଥିବା କଥା ପଦାକୁ ଆସିଥିଲା । ପରେ ପୁଲିସର ଅନ୍ୟ ଏକ ଟିମ୍ ସିଡିଏ ଅଞ୍ଚଳରେ ଚଢ଼ଉ କରି ଢେଙ୍କାନାଳ ଓ ଝାଡ଼ଖଣ୍ଡର ଅନ୍ୟ ଦୁଇ ଛାତ୍ରଙ୍କୁ ଗିରଫ କରିଥିଲା । ୪ ଜଣ ଯୁବକଙ୍କୁ ମର୍କତନଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
Powered by Froala Editor