ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ତିନି ଦିନ ଧରି ଚାଲିଥିବା ମନିଟାରୀ ପଲିସି କମିଟି (MPC) ବୈଠକ ପରେ ରେପୋ ରେଟ୍ ଉପରେ ବଡ଼ ନିଷ୍ପତ୍ତି ଆସିଯାଇଛି। ଆରବିଆଇ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ ଏବଂ ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ ଗତ ଏକ ବର୍ଷ ମଧ୍ୟରେ ରେପୋ ରେଟ୍ ପ୍ରାୟ ୧.୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିସାରିଛି, କିନ୍ତୁ ଗତ କିଛି ବୈଠକରେ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କ ନିଜର ଆଭିମୁଖ୍ୟ ମଧ୍ୟ ‘ନ୍ୟୁଟ୍ରାଲ’ (Neutral) ରଖିଛି।
ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଛଅ ଜଣିଆ ମୁଦ୍ରାନୀତି କମିଟି ବ୍ୟାପକ ମାନସମନ୍ଥନ କରିବା ପରେ ସୁଧକୁ ସ୍ଥିର ରଖିଛି। ଏହା ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ନିମନ୍ତେ ଏକ ବଡ଼ ଆଶ୍ବସ୍ତି। ସେମାନଙ୍କ ଋଣର ମାସିକ କିସ୍ତି ବା ଇଏମ୍ଆଇରେ କୌଣସି ବୃଦ୍ଧି ହେବ ନାହିଁ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ମଲହୋତ୍ରାଙ୍କ କିଛି ତଥ୍ୟ କିନ୍ତୁ ଚିନ୍ତାଜନକ ମନେ ହେଉଛି।
ଗତ ବର୍ଷ (ଜାନୁଆରୀ ୨୦୨୫ରୁ ଆଜି ଜୁନ ୨୦୨୬ ପର୍ଯ୍ୟନ୍ତ) ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍ରେ ମୋଟ ୪ ଥର ପରିବର୍ତ୍ତନ କରିଛି। ଏହି ସମୟ ମଧ୍ୟରେ ସୁଧ ହାରକୁ ୬.୫୦% ରୁ ହ୍ରାସ କରାଯାଇ ୫.୨୫% କୁ ଅଣାଯାଇଛି, ଯାହାଦ୍ୱାରା ମୋଟ ଉପରେ ୧.୨୫% (୧୨୫ ବେସିସ ପଏଣ୍ଟ)ର ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ସମୟ ମଧ୍ୟରେ ପ୍ରଥମେ ଫେବୃଆରୀ ୨୦୨୫ରେ ରେପୋ ରେଟ୍ରେ ୦.୨୫ ପ୍ରତିଶତର ପ୍ରଥମ ହ୍ରାସ କରାଯାଇଥିଲା। ତା’ପରେ ଏପ୍ରିଲ ମାସରେ ମଧ୍ୟ ୦.୨% ହାର କମାଯାଇଥିଲା। ଗତ ବର୍ଷ ଜୁନ ମାସରେ ୦.୫୦% (୦.୫୦ ପ୍ରତିଶତ) ର ଏକ ବଡ଼ ହ୍ରାସ କରାଯାଇଥିଲା। ଏହାପରେ ଡିସେମ୍ବରରେ ଆଉ ୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା। ଏହି ବର୍ଷ ଫେବୃଆରୀରେ ଅନୁଷ୍ଠିତ ବୈଠକରେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା।
Powered by Froala Editor