ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ରି-ଇଭାଲ୍ୟୁଏସନ ଅର୍ଥାତ୍ ପୁନଃମୂଲ୍ୟାୟନ) ପୋର୍ଟାଲ୍ରେ ପୁଣି ଥରେ ବଡ଼ଧରଣର ବୈଷୟିକ ତ୍ରୁଟି ଦେଖାଦେଇଛି । ମଙ୍ଗଳବାର ବୋର୍ଡ ପକ୍ଷରୁ ପୋର୍ଟାଲ୍ ଆରମ୍ଭ କରାଯାଇଥିବା ଦାବି କରାଯାଇଥିଲେ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ଲଗ୍-ଇନ୍ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପୋର୍ଟାଲ୍ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି ଏବଂ ପିଲାମାନେ ନିଜର ଆବେଦନ ପତ୍ର ଦାଖଲ କରିପାରୁ ନାହାନ୍ତି ।
ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କର ଉତ୍ତର ପତ୍ର ଯାଞ୍ଚ ପାଇଁ ଅପେକ୍ଷା କରିଥିବାରୁ CBSE ଏପର୍ଯ୍ୟନ୍ତ ପୋର୍ଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିନାହିଁ। ଗତ ୨୯ ତାରିଖରେ ଉତ୍ତର ପତ୍ର ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ପୋର୍ଟାଲ ଜୁନ୍ ୧ରୁ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲା ସିବିଏସଇ। ଅନେକ ଦ୍ୱାଦଶ ଶ୍ରେଣୀ ଛାତ୍ର ଖାଲି ପୃଷ୍ଠା, କୌଣସି ସୂଚନା ନଥିବା ଲିଙ୍କ୍ ଏବଂ ଯାନ୍ତ୍ରିକ ତ୍ରୁଟି ବିଷୟରେ ଅଭିଯୋଗ କରିଥିଲେ।
ମଙ୍ଗଳବାର ଭୋର ୪ଟା ୪୨ ମିନିଟ୍ରେ ସିବିଏସଇ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ପୋର୍ଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦିଆଯାଇଥିଲା । ଏହାପରେ ପୁନଃମୂଲ୍ୟାୟନ ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ୱେବସାଇଟ୍କୁ ଯାଇଥିଲେ । ମାତ୍ର କିଛି ସମୟ ପରେ ସର୍ଭର ଡାଉନ୍ ହୋଇଯାଇଥିଲା । ଛାତ୍ରଛାତ୍ରୀମାନେ ନିଜର ସଠିକ୍ ରୋଲ୍ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଏବଂ କ୍ୟାପ୍ଚା କୋଡ୍ ଦେଇ ଲଗ୍-ଇନ୍ କରିବାକୁ ଚେଷ୍ଟା କଲାବେଳେ ସିଷ୍ଟମ୍ ବାରମ୍ବାର “ଫେଲ୍ଡ” କିମ୍ବା “ଭେରିଫିକେସନ ଫେଲ୍ଡ” ବୋଲି ଦେଖାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଛାତ୍ରଛାତ୍ରୀ କଷ୍ଟେମଷ୍ଟେ ଆବେଦନ ପ୍ରକ୍ରିୟା ଶେଷ କରୁଥିଲେ ମଧ୍ୟ ସିଷ୍ଟମ୍ ସେମାନଙ୍କୁ ସବ୍ମିଟ୍ କରିବା ପରିବର୍ତ୍ତେ ପୁଣି ଥରେ ହୋମ୍ ପେଜ୍ ବା ଲଗ୍-ଇନ୍ ପେଜ୍କୁ ଫେରାଇ ଆଣୁଛି । ଏଥିଯୋଗୁଁ ଦ୍ୱନ୍ଦ୍ୱ ଦେଖାଦେଇଛି ।
Powered by Froala Editor