ଛତିଶାନିଯୋଗ ବୈଠକ: ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଅନୁମୋଦିତ
ପୁରୀ : ନୀଳାଦ୍ରି ଭକ୍ତ ନିବାସ ପରିସରରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ଓ ନୀତି ସବ୍ କମିଟି ମୋହର ମାରିଛି। ସଅଳ ଦ୍ୱାରଫିଟା ଓ ଭୋରରୁ ମଙ୍ଗଳ ଆଳତି ଉପରେ ଗୁରୁତ୍ବ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ ଅନୁମୋଦିତ ହୋଇଛି। ଏଥିସହ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ମଧ୍ୟ ଅନୁମୋଦନ ଲାଭ କରିଛି। ଜୁନ ୫ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେହି ପ୍ରସ୍ତାବ ଉପରେ ଆଲୋଚନା ହେବ।
ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ନେଇ ପ୍ରଶାସନିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସମ୍ପର୍କରେ ଗୁରୁତ୍ବ ଦିଆଯାଇଛି। ଏଥର ଭୋରରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସୂଚନା ଦେଇଛନ୍ତି। ସ୍ନାନଯାତ୍ରାରେ ପହଣ୍ଡି ବିଜେ, ଜଳ ବିଜେ, ଜଳ ଲାଗି, ଛେରା ପହଁରା, ହାତୀବେଶକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି। ରଥଯାତ୍ରା ସମୟରେ ଶୃଙ୍ଖଳିତ ପହଣ୍ଡି ଓ ରଥଟଣା ସହିତ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତଙ୍କର ସହଯୋଗ ଲୋଡ଼ା ଯାଇଛି। ଛତିଶାନିଯୋଗ ବୈଠକରେ ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ ଜୁନ ୨୪ରେ ରାଜେନ୍ଦ୍ରଭିଷେକ, ୨୫ରେ ରୁକ୍ମିଣୀ ହରଣ ଏକାଦଶୀ, ୨୬ରେ ଚମ୍ପକ ଦ୍ବାଦଶୀ, ୨୭ରେ ଦଇତା ପ୍ରବେଶ, ୨୯ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୪ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଏବଂ ୧୬ରେ ରଥଯାତ୍ରା ଅନୁଷ୍ଠିତ ହେବ। ୧୬ ତାରିଖ ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୩୦ରେ ପହଣ୍ଡି ଆରମ୍ଭ ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ସେହିପରି ଜୁଲାଇ ୨୦ରେ ହେରା ପଞ୍ଚମୀ, ୨୩ରେ ନବମୀ ସନ୍ଧ୍ୟା ଦର୍ଶନ, ୨୪ରେ ବାହୁଡ଼ା ଯାତ୍ରା, ୨୫ରେ ସୁନାବେଶ, ଏବଂ ୨୭ରେ ନୀଳାଦ୍ରି ବିଜେ ହେବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ (ଏସପି) ପ୍ରତୀକ ସିଂ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଛତିଶାନିଯୋଗର ପ୍ରମୁଖ ବରିଷ୍ଠ ସେବାୟତ ଉପସ୍ଥିତ ଥିଲେ।
Powered by Froala Editor