ଅଧିକରୁ ଅଧିକ ପ୍ରତିଶତ ଯୁବପିଢ଼ି ନିଶା କବଳରେ କରାୟତ୍ତ, ହାତ ପାଆନ୍ତାରେ ମିଳୁଛି ନିଶାଦ୍ରବ୍ୟ
ଭୁବନେଶ୍ବର: ତମାଖୁ ସେବନ ଦ୍ବାରା କେବଳ ମୁଖ କର୍କଟ ହୁଏ ନାହିଁ ବରଂ ଅନ୍ୟ କର୍କଟ ରୋଗକୁ ଏହା ପ୍ରଭାବିତ କରେ। ତମାଖୁ ସେବନ ମଧ୍ୟ କର୍କଟର ଅନ୍ୟତମ କାରଣ ବୋଲି ବିଶେଷଜ୍ଞ କୁହନ୍ତି। ରବିବାର ବିଶ୍ବ ପାଳିବ ତମାଖୁ ନିଷେଧ ଦିବସ। ସରକାରୀ ଅନୁଷ୍ଠାନରୁ ନେଇ ବିଭିନ୍ନ ସଙ୍ଗଠନ, ଏନଜିଓ ସଂସ୍ଥା ସଚେତନତା ବାର୍ତ୍ତା ପ୍ରଦାନ କରିବେ। ତେବେ ବର୍ତ୍ତମାନ ଅଧିକରୁ ଅଧିକ ଯୁବପିଢ଼ି ତମାଖୁ ସେବନ କରୁଥିବା ଜଣାପଡ଼ିଛି। ପ୍ରାୟ ୮୦ ପ୍ରତିଶତ ଯୁବପିଢ଼ି ନିଶା କବଳରେ କରାୟତ୍ତ ହୋଇସାରିଛନ୍ତି। ଅନ୍ୟପକ୍ଷରେ କୋଟପା ଆଇନକୁ ଠିକ୍ ଭାବେ ପାଳନ କରାଯାଉ ନ ଥିବା ମଧ୍ୟ ଅଭିଯୋଗ ହେଉଛି।
ହାତ ପାଆନ୍ତାରେ ମିଳୁଛି ନିଶାଦ୍ରବ୍ୟ। ଶିକ୍ଷାନୁଷ୍ଠାନଗୁଡ଼ିକର ଶହେ ମିଟର ପରିଧି ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇପାରୁନି। ସରକାରୀ ତଥ୍ୟ ଅନୁସାରେ; ରାଜ୍ୟରେ ଗୁଟ୍ଖା ଓ ତମାଖୁ ବ୍ୟବହାର ଫଳରେ ୧୦ ବର୍ଷରେ କେବଳ ମୁଖ କର୍କଟରେ ୩ ହଜାର ୧୫୭ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ୬୨ ହଜାର ୫୪୨ ଜଣ ଉଲ୍ଲଙ୍ଘନକାରୀଙ୍କଠାରୁ ୮ କୋଟି ୩୪ ଲକ୍ଷ ୫୨ ହଜାର ୫୫୨ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତମାଖୁ ବିକ୍ରି ନେଇ ଗତ କିଛି ଦିନ ହେଲା ଛକାପଞ୍ଝା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମେ ଗୁଟ୍ଖା ବା ତମାଖୁ ବିକ୍ରି ନିଷେଧ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। କିଛି ଦିନ ପରେ ସାନି ବିଜ୍ଞପ୍ତିରେ ବିକ୍ରି ନିମନ୍ତେ ଏକପ୍ରକାର ପଥ ପରିଷ୍କାର କରାଯାଇଥିଲା। ଏବେ ଓମ୍ଫେଡ୍ ଷ୍ଟଲରେ ମଧ୍ୟ ଗୁଟ୍ଖାରୁ ଆରମ୍ଭ କରି ସିଗାରେଟ ପର୍ଯ୍ୟନ୍ତ ବିକ୍ରି ହେଉଛି। କୋଟପା ଆଇନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor