+୨ ଛାତ୍ରଛାତ୍ରୀ ପଢିବେ ଓଡ଼ିଆରେ ବିଜ୍ଞାନ
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକ୍ରମେ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତ +୨ (ଏକାଦଶ ଓ ଦ୍ୱାଦଶ ଶ୍ରେଣୀ) ବିଜ୍ଞାନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପଢ଼ିବା ପାଇଁ ଉତ୍ସାହ ସୃଷ୍ଟି କରିଛି। ଗଣଶିକ୍ଷା ବିଭାଗ ନିର୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ୭୦୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡ଼ିଆରେ ରଚିତ ବିଜ୍ଞାନ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି। ଏଥିସହ ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଗବେଷକ ଓ ବରିଷ୍ଠ ଅଧିକାରୀମାନେ ପ୍ରତି ଜିଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର ଉପାଦେୟତା ଓ ଆବଶ୍ୟକତା ସମ୍ପର୍କରେ ତଥ୍ୟ ଓ ତତ୍ତ୍ୱ ଉପସ୍ଥାପନ କରିଥିଲେ। ଓଡ଼ିଆରେ +୨ ବିଜ୍ଞାନ ଶିକ୍ଷାକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ନାମଲେଖା ଫର୍ମପୂରଣ ବେଳେ ଛାତ୍ରଛାତ୍ରୀ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ ଗ୍ରହଣ କରିବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡ. ସୁବ୍ରତ ପୃଷ୍ଟି ପରାମର୍ଶ ଦେଇଛନ୍ତି।
ଶିକ୍ଷାବିତ୍ ତଥା ସଂସ୍ଥାର ଗବେଷଣା ବିଭାଗ ସଂଯୋଜକ ନୀରଦ ବରଣ ଖୁଣ୍ଟିଆ କହିଥିଲେ, ଦଶମ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସାରା ରାଜ୍ୟରେ ଓଡ଼ିଆ ସାଥୀମାନେ କାର୍ଯ୍ୟ କରୁଛନ୍ତି। ଓଡ଼ିଆରେ ନିଟ୍ ଓ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ଆସୁଥିବାରୁ ଓଡ଼ିଆରେ ବିଜ୍ଞାନ ପଢୁଥିବା ପିଲା ସହଜରେ ଡାକ୍ତର ଓ ଇଞ୍ଜିନିୟର ହୋଇପାରିବେ। ପ୍ରକଳ୍ପ ନିର୍ଦେଶକ ବିଜୟ ପ୍ରଧାନ କହିଥିଲେ, ପ୍ରତିବର୍ଷ ସାଢ଼େ ୫ ଲକ୍ଷ ପିଲା ଓଡ଼ିଆ ମାଧ୍ୟମରେ ଦଶମ ପଢୁଥିଲେ ବି ଇଂରାଜୀ ଭାଷାକୁ ଭୟ କରି +୨ ଶ୍ରେଣୀରେ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ କରୁ ନ ଥିବାରୁ ପ୍ରାୟ ୮୦ ହଜାର ଆସନ ଖାଲି ପଡୁଛି। ଏହି ଭୟକୁ ଦୂର କରିବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷରା ସଂସ୍ଥା ଓଡ଼ିଆରେ ଇଞ୍ଜିନିୟରିଂ ବହି ପ୍ରସ୍ତୁତ କରିବା ପରେ ଏବେ +୨ ବିଜ୍ଞାନ ବହି ପ୍ରସ୍ତୁତ କରିଛି।
Powered by Froala Editor