ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ଗିରିବାଳା ସିଂହ
ମଡେଲ ଅଭିନେତ୍ରୀ ତ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ସିବିଆଇ ପକ୍ଷରୁ ସାନି ଏତଲା ଦାଏର କରାଯାଇଥିବା ବେଳେ ଏଥିରେ ତ୍ବିଶାଙ୍କ ସ୍ବାମୀ ସମର୍ଥ ସିଂହ ଓ ଶାଶୂ ଗିରିବାଳା ସିଂହଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୮୦(୨), ୮୫ ଓ ୩(୫) ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୂର୍ବତନ ବିଚାରପତି ତଥା ତ୍ବିଶାଙ୍କ ଶାଶୂ ଗିରିବାଳା ସିଂହଙ୍କୁ ହେପାଜତରେ ଜେରା କରିବାର ଆବଶ୍ୟକତା ଦର୍ଶାଇ ସିବିଆଇ କୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛି । ଏବେ ଗିରିବାଳଙ୍କ ଉପରେ ଆରେଷ୍ଟ ଖଣ୍ଡା ଝୁଲୁଛି । ମଧ୍ୟ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିଛନ୍ତି । ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି ତ୍ବିଶାଙ୍କ ଶାଶୂ ଗିରିବାଳା ସିଂହ ।
ଏତଲା ଅନୁଯାୟୀ ଝିଅ ବିଦାୟ ସମୟରେ ଗିରିବାଳା ୨ ଲକ୍ଷ ଟଙ୍କା ଦାବି କରିଥିବାବେଳେ ତ୍ବିଶାଙ୍କ ପରିବାର ଏହି ଅର୍ଥ ଦେଇଥିଲେ। ଗତବର୍ଷ ଡିସେମ୍ବରରେ ତ୍ବିଶା-ସମର୍ଥଙ୍କ ବିବାହ ସମ୍ପନ୍ନ ହୋଇଥିଲା। ତେବେ ଅଧିକ ଯୌତୁକ ଆଣିବାକୁ ଶ୍ବଶୁର ଘର ତରଫରୁ ତ୍ବିଶାଙ୍କ ଉପରେ ଚାପ ପ୍ରୟୋଗ କରାଯିବା ସହ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦିଆଯାଉଥିଲା। ଏଥିରେ ଅତିଷ୍ଠ ହୋଇ ତ୍ବିଶା ଚଳିତମାସ ୧୨ରେ ଶ୍ବଶୁର ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି।
ସିବିଆଇ କହିଛି କି, ଟ୍ୱିଶାଙ୍କ ମୃତ୍ୟୁ ପରେ, ଗିରିବାଳା ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ଲିକ୍ କରିଥିଲେ ଯାହାକୁ ପ୍ରମାଣ ସହିତ ହେରଫର ବୋଲି କୁହାଯାଉଛି । ଏହା ବ୍ୟତୀତ, ହ୍ୱାଟ୍ସଆପ୍ ଚାଟ୍ ସ୍ପଷ୍ଟ ଭାବରେ ସୂଚାଉଛି ଯେ, ଗିରିବାଲା ଏବଂ ସମର୍ଥ ଟ୍ୱିଶାଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ । ସେମାନେ ତାଙ୍କ ଗର୍ଭଧାରଣ ଅନ୍ୟ କାହାର ବୋଲି କହି ତାଙ୍କ ଗର୍ଭପାତ କରିବାକୁ ବାଧ୍ୟ କରୁଥିଲେ ।
Powered by Froala Editor