ସାତକୋଶିଆରେ ୧୯ଟି ଶାବକକୁ ଜନ୍ମ ଦେଇଛି ମାଈ ଘଡିଆଳ କୁମ୍ଭୀର
ହରଭଙ୍ଗା : ମେ ମାସ ସାତକୋଶିଆ ପାଇଁ ଅତ୍ୟନ୍ତ ଶୁଭଙ୍କର। ସାତକୋଶିଆର ବଳଦମଡା ନିକଟରେ ଏକ ମାଈ ଘଡିଆଳ କୁମ୍ଭୀର ୧୯ଟି ଶାବକକୁ ଜନ୍ମ ଦେଇଛି। ୪୦ବର୍ଷର ବ୍ୟବଧାନ ପରେ ଏଥରକୁ ମିଶାଇ ଲଗାତର ଷଷ୍ଠଥର ପ୍ରାକୃତିକ ଆବସସ୍ଥଳୀରେ ଅଣ୍ଡା ଫୁଟାଇଛି ମା ଘଡିଆଳ। ଏଭଳି ଖୁସି ଖବର କେବଳ ସାତକୋଶିଆ ପାଇଁ ନୁହେଁ ସମଗ୍ର ଓଡିିଶା ପାଇଁ ଖୁସି ଆଣିଛି। ପ୍ରକାଶ ଯେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ବଳଦମଡା ନିକଟରେ ଗତ ମାର୍ଚ୍ଚ ମାସରେ ଏକ ମାଈ ଘଡିଆଳ କୁମ୍ଭୀର ୨୪ଟି ଅଣ୍ଡା ଦେଇଥିଲା। ଅଣ୍ଡା ଦେବାର ୬୦ଦିନ ପରେ ଛୁଆ ଫୁଟିଛି।
ମାତ୍ର ଅତ୍ୟଧିକ ଗରମ କାରଣରୁ ଅଣ୍ଡାରୁ ଛୁଆ ଫୁଟିବା ବିଳମ୍ବ ଘଟିଥିଲା। ଘଡିଆଳ ପ୍ରଜନନକୁ ଦୃଷ୍ଟିରେ ରଖି କୋରଏରିଆରେ ମାଛମରା, ଡଙ୍ଗା ଇତ୍ୟାଦି ଚଳାଚଳକୁ କଡାକିଡି ବନ୍ଦ କରାଯାଇଥିଲା। ବିଳମ୍ବରେ ହେଉପଛେ ମାଈ ଘଡିଆଳ ୧୯ଟି ଶାବକ ଜନ୍ମ ଦେବା ପରେ ସାତକୋଶିଆ ପାଇଁ ଏକ ଶୁଭ ସଙ୍କେତ ଏହାକୁ ନେଇ ବନ୍ୟପ୍ରାଣୀ କର୍ମଚାରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ପ୍ରକାଶ ଯେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ମହାନଦୀ ବନ୍ୟପ୍ରାଣୀ ଅନୁଗୁଳ ବନଖଣ୍ଡ ଅଧିନରେ ଥିବା ଟିକରପଡାଠାରେ ୧୯୭୫ ମସିହାରେ ଘଡିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଉଦେଶ୍ୟ ଥିଲା ମହାନଦୀର ପ୍ରାକୃତିକ ପରିବେଶରେ ଘଡିଆଡ କୁମ୍ଭୀର ବଂଶବୃଦ୍ଧି। ଏହି ଉଦେଶ୍ୟରେ ଟିକରପଡାଠାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହିତ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ବିଭିନ୍ନ ସମୟରେ ବାହାରୁ ଅଣ୍ଡା ଅଣାଯାଇ ପ୍ରଜନନ ପରେ ସାତକୋଶିଆରେ ଘଡିଆଳ ବଂଶବୃଦ୍ଧି ନ ଘଟିବା କାରଣ ଦିଗରେ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଥିଲା। ୨୦୨୦ରେ ଘଡିଆଳ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରାକୃତିକ ପ୍ରଜନନ ପାଇଁ କେତୋଟି ମାଈ ଏବଂ ପୁରୁଷ ଘଡିଆଳ ଗଣ୍ଡରେ ଛଡାଯାଇ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥିଲା। ଶେଷରେ ୨୦୨୧ରେ ପ୍ରଥମଥର ପାଇଁ ଏକ ମାଈ ଘଡିଆଳ ସାତକୋଶିଆର ବଳଦମଡାଠାରେ ୨୮ଟି ଶାବକକୁ ଜନ୍ମ ଦେଇଥିଲା। ୨୦୨୨ ମେରେ ପୁଣି ମାଈ ଘଡିଆଳ କୁମ୍ଭୀର ୩୦ଟି ଶାବକକୁ ନେଇ ଖେଳୁଥିବା ଚିତ୍ର ବନ୍ୟପ୍ରାଣୀ ବିଭାଗ ଜାରି କରିଥିଲା। ଗତ ୨୦୨୩ ମେରେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେଇଥିଲା। ଗତ ୨୦୨୪ ମେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଏବଂ ୨୦୨୫ ମେ ମାସରେ ୨୯ଟି ଶାବକ ଜନ୍ମ ଦେବା ସାତକୋଶିଆ ପାଇଁ ଅତ୍ୟନ୍ତ ଖୁସିଖବର ଆଣିଥିଲା। ଲଗାତାର ଷଷ୍ଠଥର ପାଇଁ ଘଡିଆଳ କୁମ୍ଭୀର ଶାବକ ଜନ୍ମ ଦେବା ଘଟଣା ସାତକୋଶିଆରେ ଏହି ପ୍ରଜାତିର କୁମ୍ଭୀର ବଂଶବୃଦ୍ଧି ଦିଗରେ ସଫଳତା ଆଡକୁ ଗତିକରୁଥିବା ଜଣାପଡୁଛି।
Powered by Froala Editor