ଲଣ୍ଡନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଅସନ୍ତୋଷ
ଭୁବନେଶ୍ବର : ପୁଣି ଇସ୍କନ ପକ୍ଷରୁ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଛି। ଲଣ୍ଡନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶାସ୍ତ୍ରୀୟ ନୀତି-ନିୟମ ଏବଂ ଶ୍ରୀମନ୍ଦିରର ପରମ୍ପରା ବାହାରେ ଇସ୍କନ ପକ୍ଷରୁ ମନଇଚ୍ଛା ଅନ୍ୟ ତାରିଖରେ ଏହି ପବିତ୍ର ଉତ୍ସବ ପାଳନ କରାଯାଉଥିବାରୁ ପ୍ରବାସୀ ଓଡ଼ିଆ ସମୁଦାୟ ଓ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞମାନେ ଏହାର ତୀବ୍ର ବିରୋଧ କରିଛନ୍ତି।
ୱାଟଫୋର୍ଡଠାରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଏବଂ ଲଣ୍ଡନରେ ରଥଯାତ୍ରା ଶାସ୍ତ୍ର ବିହିତ ତିଥିରେ ନ କରି ଅତିଥିରେ ଆୟୋଜନ କରିବାକୁ ଇସ୍କନ ଲଣ୍ଡନ କର୍ତ୍ତୃପକ୍ଷ ଜିଦ୍ ଧରିଥିବାରୁ ପ୍ରବାସୀ ଓଡ଼ିଆମାନେ ଗଭୀର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇସ୍କନର ଏଭଳି ମନମୁଖି ନିଷ୍ପତ୍ତି ବିଶ୍ବର କୋଟିକୋଟି ଜଗନ୍ନାଥ ଭକ୍ତଙ୍କ ଆବେଗ ଓ ଧାର୍ମିକ ବିଶ୍ବାସକୁ ଗଭୀର ଆଘାତ ଦେଇଛି। ଏ ସମ୍ପର୍କରେ ଜଗନ୍ନାଥ ଭକ୍ତ ଓ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଇସ୍କନ ଲଣ୍ଡନର ମୁଖ୍ୟଙ୍କୁ ଏକ ପତ୍ର ପ୍ରେରଣ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ସାରା ବିଶ୍ବରେ ଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ପାଇଁ ଇସ୍କନର ଉଦ୍ୟମକୁ ସେମାନେ ସମ୍ମାନ ଜଣାନ୍ତି, ମାତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ଅଦିନରେ ହେବା ଉଚିତ୍ ନୁହେଁ। ଚଳିତ ମେ’ ୨ ତାରିଖରେ ୱାଟଫୋର୍ଡର ଭକ୍ତିବେଦାନ୍ତ ମ୍ୟାନରଠାରେ ଶ୍ରୀ ନୀଳମାଧବ ପ୍ରଭୁଙ୍କ ସହ ଅନୁଷ୍ଠିତ ଏକ ବୈଠକରେ ପ୍ରତିବାଦ ସହ ତାରିଖ ସଂଶୋଧନ ପାଇଁ ଅନୁରୋଧ କରାଯାଇଥିଲା। ମାତ୍ର ଇସ୍କନ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ରୂପେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରଥଯାତ୍ରା କେବଳ କୌଣସି ଆମୋଦ-ପ୍ରମୋଦ ବା ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ। ଏହା ଶାସ୍ତ୍ର, ପୁରୀ ଶ୍ରୀମନ୍ଦିର ରୀତିନୀତି ଏବଂ ସନାତନ ଧର୍ମର ଏକ ସର୍ବୋଚ୍ଚ ଆଧ୍ୟାତ୍ମିକ ପର୍ବ। କେବଳ ପ୍ରଶାସନିକ ସୁବିଧା, ସାଂଗଠନିକ ପସନ୍ଦ କିମ୍ବା ବ୍ୟବସାୟିକ କାରଣରୁ ଯେକୌଣସି ତାରିଖରେ ଏହି ଯାତ୍ରା ଆୟୋଜନ କରିବା ଦ୍ବାରା ମହାପ୍ରଭୁଙ୍କ ପରମ୍ପରାର ପବିତ୍ରତା ନଷ୍ଟ ହେଉଛି। ଇତିହାସ ସାକ୍ଷୀ ଅଛି, ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଇସ୍କନର ପ୍ରତିଷ୍ଠାତା ଶ୍ରୀଳ ପ୍ରଭୁପାଦଙ୍କ ପର୍ଯ୍ୟନ୍ତ ସମସ୍ତେ ଶାସ୍ତ୍ରୀୟ ତିଥି ଅନୁସାରେ ହିଁ ମହାପ୍ରଭୁଙ୍କ ଲୀଳା ଖେଳାକୁ ବିଶ୍ବ ଦରବାରରେ ପ୍ରଚାର କରିଥିଲେ। ମହାପ୍ରଭୁଙ୍କ ସଂସ୍କୃତିର ମୌଳିକତା ରକ୍ଷା କରିବା ପାଇଁ ଇସ୍କନ ତୁରନ୍ତ ଏଥିରେ ସୁଧାର ଆଣୁ ବୋଲି ଓଡ଼ିଆ ସମୁଦାୟ ଦାବି କରିଛି।
Powered by Froala Editor