ହୋଇପାରୁନି ଅତିରିକ୍ତ ବିଦ୍ୟୁତ୍ ଯୋଗାଣ, ଓଡ଼ିଶାରେ ବିଦ୍ୟୁତ୍ କାଟ୍ ଧାରଣ କରିଛି ଉତ୍କଟ ରୂପ
ଭୁବନେଶ୍ବର : ଓଡ଼ିଶାର ସର୍ବାଧିକ ବିଦ୍ୟୁତ୍ ଚାହିଦା ଗତ ୨୨ ତାରିଖରେ ୮,୧୮୮ ମେଗାୱାଟ୍ ଛୁଇଁଥିଲା। ଅତିରିକ୍ତ ବିଦ୍ୟୁତ୍ ଚାହିଦା ପୂରଣ ପାଇଁ ୨୩ରେ କେନ୍ଦ୍ରୀୟ ସୂତ୍ରରୁ ସର୍ବାଧିକ ୨,୬୫୫ ମେଗାୱାଟ୍ ମହଙ୍ଗା ବିଦ୍ୟୁତ୍ କ୍ରୟ କରାଯାଇଛି। ଉପଭୋକ୍ତା ମହଙ୍ଗା ବିଦ୍ୟୁତ୍ ମାଡ଼ ସହୁଥିବାବେଳେ ବାରମ୍ବାର ପାୱାର୍ କଟ୍ ଉପଭୋକ୍ତାଙ୍କୁ ଅସ୍ତବ୍ୟସ୍ତ କରୁଛି। ଓଡ଼ିଶାରେ ପ୍ରାୟ ୧୫ ହଜାର ମେଗାୱାଟ୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଥିବାବେଳେ ଗ୍ରିଡ୍କୋ ମାତ୍ର ୮୦୦ରୁ ୯୦୦ ମେଗାୱାଟ୍ କ୍ରୟ କରୁଛି। କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ବିଦ୍ୟୁତ୍ ଶସ୍ତା ହୋଇଥିବାରୁ ଗ୍ରିଡ୍କୋ ୧,୫୦୦ ମେଗାୱାଟ୍ କ୍ରୟ କରିପାରିଲେ ଓଡ଼ିଶା ଉପଭୋକ୍ତା ମହଙ୍ଗା ମାଡ଼ରୁ ରକ୍ଷା ପାଇବା ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇପାରିବେ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି।
ଓଡ଼ିଶାର ହାରାହାରି ବିଦ୍ୟୁତ୍ ଚାହିଦା ଗତ ୨୦ରେ ୬,୧୧୫ ମେଗାୱାଟ୍ ଥିବାବେଳେ ସର୍ବାଧିକ ଚାହିଦା ୭,୨୫୧ ମେଗାୱାଟ୍ ଥିଲା। ଅର୍ଥାତ୍ ହାରାହାରି ଚାହିଦା ଓ ସର୍ବାଧିକ ଚାହିଦା ମଧ୍ୟରେ ବ୍ୟବଧାନ ଥିଲା ୧,୧୩୬ ମେଗାୱାଟ୍। ଏହି ବ୍ୟବଧାନ ବଢି ଗତ ୨୨ ତାରିଖରେ ୧,୬୭୨ ମେଗାୱାଟ୍ରେ ପହଞ୍ଚିଛି। ଅତିରିକ୍ତ ବିଦ୍ୟୁତ୍ ଯୋଗାଣ ହୋଇପାରି ନ ଥିବାରୁ ଓଡ଼ିଶାରେ ବିଦ୍ୟୁତ୍ କାଟ୍ ଉତ୍କଟ ରୂପ ଧାରଣ କରିଛି।
Powered by Froala Editor