୨୭ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମପ୍ରବାହ ସ୍ଥିତି
ଭୁବନେଶ୍ବର: ଆହୁରି ୫ ଦିନ ପଶ୍ଚିମ ଜଳିବ। ଗରମ ଓ ଗୁଳୁଗୁଳିରେ ଅସହ୍ୟ ହେବ ଉପକୂଳ ଓଡ଼ିଶା। ପୂରା ରାଜ୍ୟ ଗରମ ଓ ଗୁଳୁଗୁଳିରେ ଆଉଟପାଉଟ ହେଉଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବ। ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ ହୋଇଥିବାରୁ ତାତି କମୁନାହିଁ। ଝାରସୁଗୁଡ଼ାରେ ପାରଦ ୪୫.୨ ଡିଗ୍ରୀ ଛୁଇଁଥିବା ବେଳେ ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଲେଖାଏଁ ରହିଛି। ଭବାନୀପାଟଣା ଏବଂ ବଲାଙ୍ଗିରରେ ପାରଦ ୪୪.୫ ଡିଗ୍ରୀ ଲେଖାଏଁ ଥିବାବେଳେ ସୁବର୍ଣ୍ଣପୁରରେ ୪୪.୭ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ୩୯.୩ ଏବଂ କଟକରେ ତାପମାତ୍ରା ୩୭.୮ ଡିଗ୍ରୀରେ ପହଞ୍ଚିଛି। ରାଜ୍ୟର ୧୯ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଶୁକ୍ରବାର ଅପେକ୍ଷା ଶନିବାର ଉପକୂଳ, ଉତ୍ତର, ଦକ୍ଷିଣ, ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଦିନ ତାପମାତ୍ରା ବୃଦ୍ଧି ପାଇଛି।
ପଶ୍ଚିମରେ ତାତି କଲବଲ କରୁଥିବା ବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି। ଦିନ ଓ ରାତିରେ ଗରମ ଓ ଗୁଳୁଗୁଳିରୁ ଆଶ୍ବସ୍ତି ମିଳୁନାହିଁ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଏବଂ ବୌଦ୍ଧ ଜିଲାକୁ ଗ୍ରୀଷ୍ମ ଲହରୀ ପାଇଁ ସତର୍କତା ଜାରି କରାଯାଇଛି। ଦିନ ତାପମାତ୍ରା ବଢ଼ିବା କାରଣରୁ ବଲାଙ୍ଗିରରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ। ଏଠାରେ ରାତିରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ସେପଟେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୮୦% ଉପରେ ରହୁଛି। ସକାଳୁ ସକାଳୁ ଗରମ ଗୁଳୁଗୁଳି ହେଉଛି। ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରଚୁର ମାତ୍ରାରେ ପାଣି ପିଇବା ସହିତ ସ୍ବାସ୍ଥ୍ୟ ଉପରେ ଯତ୍ନ ରଖିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାକୁ ଗରମ ସହିତ ଗୁଳୁଗୁଳି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
Powered by Froala Editor