ଅଭିନୟ କରୁଥିଲେ ଆଜୀବନ କଏଦୀ
ନିଜ ପରିଚୟ ଲୁଚାଇ ବୁଲୁଥିବା ଜଣେ କଏଦୀକୁ ଗିରଫ କରିଛି ଗୁଜରାଟ ପୋଲିସ। ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଏହି ଅଭିଯୁକ୍ତ ଜଣକ ୨୦୧୪ରୁ ପାରୋଲ୍ରେ ଆସି ଫେରାର ହୋଇଯାଇଥିଲା। ଆଉ ନିଜର ନାମ ପରିଚୟ ବଦଳାଇଦେଲେ । ସବୁବେଳେ କ୍ୟାମେରାରେ ବାହାରୁଥିଲେ ହେଲେ ପୁଲିସ ଧରି ପାରୁନଥିଲା । ଅଭିନୟ କରି ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଣ୍ଟୁଥିଲେ । ହେଲେ ପୁଲିସ ଜାଣି ପାରୁନଥିଲା । ଏମିତିକି ଅମିତାଭ ବଚ୍ଚନ ଏବଂ ଅମୀର ଖାନଙ୍କ ଭଳି ଅଭିନେତାଙ୍କ ସହ ମଧ୍ୟ ସ୍କ୍ରିନ୍ ସେୟାର କରିଛନ୍ତି। ୧୨ ବର୍ଷ ପରେ ଧରା ପଡ଼ିଲେ । ତେବେ ସେ ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଗନୀନଦାସ ମୋଦୀ । ଗତ ବୁଧବାର ଅହମ୍ମଦାବାଦର ଘି-କାଣ୍ଟା ମେଟ୍ରୋ ଷ୍ଟେଶନ ନିକଟରୁ ତାଙ୍କୁୁ କାବୁ କରାଯାଇଥିଲା।
ଅହମ୍ମଦାବାଦର ଏକ ରାସ୍ତାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଶିଡ଼ିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ୨୦୦୫ ଜୁନ୍ ୧୫ରେ ହେମନ୍ତ, ତାଙ୍କ ଭାଇ ଏବଂ ଗୋଷ୍ଠୀ ଅଭିଯୋଗକାରୀ ଅଜୟ ପଟେଲ ଓ ତାଙ୍କ ବନ୍ଧୁ ନରେନ୍ଦ୍ର କାମ୍ବଲେଙ୍କ ସହ ମାରପିଟ ହୋଇଥିଲା। ଏଥିରେ ନରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହେମନ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା, ଦଙ୍ଗା ଏବଂ ଆପରାଧିକ ଷଡ଼ଯନ୍ତ୍ର ମାମଲା (ଆଇପିସି ଦଫା ୩୦୨, ୩୨୪, ୧୪୭, ୧୪୮, ୧୪୯, ୧୨୦-ବି) ରୁଜୁ ହୋଇଥିଲା।
ଅଗଷ୍ଟ ୨୦୦୮ରେ କୋର୍ଟ ହେମନ୍ତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେମାନେ ମେହସାଣା ଜିଲା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୨୦୧୪ରେ ଗୁଜରାଟ ହାଇକୋର୍ଟ ତାଙ୍କୁ ୩୦ ଦିନର ପାରୋଲ ମଞ୍ଜୁର କରିଥିଲେ। ମାତ୍ର ଅବଧି ଶେଷ ହେବା ପରେ ସେ ଜେଲକୁ ନ ଫେରି ଫେରାର ହୋଇଯାଇଥିଲେ। ଜୁଲାଇ ୨୦୧୪ରେ ହାଇକୋର୍ଟ ତାଙ୍କୁ ‘ପାରୋଲ ଜମ୍ପର’ (ଫେରାର୍ କଏଦୀ) ଘୋଷଣା କରିଥିଲେ।
ଜେଲରୁ ଫେରାର ହେବା ପରେ ହେମନ୍ତ ‘ଟ୍ବିଙ୍କଲ ଡାଭେ’ ନାମରେ ନିଜ ପରିଚୟ ବଦଳାଇ ୨୦୧୭ ଯାଏ ଗୁଜରାଟ ପାଟନ ଏବଂ ଅହମ୍ମଦାବାଦରେ ରହିଥିଲେ। ଏହାପରେ ସେ ମୁମ୍ବାଇ ପଳାଇଥିଲେ ଏବଂ ଅଭିନୟ ଜଗତରେ ପାଦ ଥାପିଥିଲେ। ସେ ଅନେକ ହିନ୍ଦୀ ଏବଂ ଗୁଜରାଟୀ ଚଳଚ୍ଚିତ୍ର, ୱେବ୍ ସିରିଜ ଏବଂ ନାଟକରେ ଚରିତ୍ର ଅଭିନେତା ଭାବେ କାମ କରିଥିଲେ।
ପୋଲିସର କହିବାନୁଯାୟୀ, ଅମିତାଭ ବଚ୍ଚନ ଏବଂ ଆମିର ଖାନ୍ଙ୍କ ଅଭିନୀତ ବ୍ଲକ୍ବଷ୍ଟର ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଏବଂ ରଣବୀର ସିଂଙ୍କ ‘ଜୟେଶଭାଇ ଜୋରଦାର’ ଭଳି ବଡ଼ ବ୍ୟାନରର ଫିଲ୍ମରେ ହେମନ୍ତ କାମ କରିସାରିଛନ୍ତି। ଏହାବ୍ୟତୀତ ସେ ‘ଯୁଗପୁରୁଷ’ ଏବଂ ‘ଗାନ୍ଧୀ ବିରୁଦ୍ଧ ଗୋଡ୍ସେ’ ଭଳି ପ୍ରସିଦ୍ଧ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ଏବଂ ସିରିଏଲ ଦୁନିଆରେ ସକ୍ରିୟ ଥାଇ ସର୍ବସାଧାରଣଙ୍କ ସାମ୍ନାକୁ ଆସୁଥିଲେ ମଧ୍ୟ ୧୨ ବର୍ଷ ଧରି ସେ ପୋଲିସ ଆଖିରେ ଧୂଳି ଦେବାରେ ସଫଳ ହୋଇଥିଲେ।
Powered by Froala Editor