ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ
ମେ ୨୩ ତାରିଖରୁ ନୂତନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲାଗୁ ହୋଇଛି। ପେଟ୍ରୋଲ ମୂଲ୍ୟ ୯୧ ପଇସା ଏବଂ ଡିଜେଲ ୮୬ ପଇସା ବୃଦ୍ଧି ପାଇଛି। ମେ ୧୯ ତାରିଖରେ ପେଟ୍ରୋଲ ମୂଲ୍ୟ ୮୭ ପଇସା ଏବଂ ଡିଜେଲ ୯୧ ପଇସା ବୃଦ୍ଧି କରାଯାଇଥିଲା ଏବଂ ମେ ୧୫ ତାରିଖରେ ଦର ୩ ରୁ ଅଧିକ ବୃଦ୍ଧି କରାଯାଇଥିଲା। ୧୦ ଦିନରେ ତୃତୀୟ ଥର ପାଇଁ ଦର ବଢ଼ିଛି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୬.୩୩ଟଙ୍କା ଓ ଡିଜେଲ ଦାମ୍ ୯୭.୯୨ ଟଙ୍କା ହୋଇଛି। ପୂର୍ବରୁ ପେଟ୍ରୋଲ ୧୦୫.୪୪ ଟଙ୍କା ଡିଜେଲ ୯୬.୯୫ ଟଙ୍କା ଥିଲା। ଅନ୍ୟପଟେ ସ୍ପିଡ୍ ପେଟ୍ରୋଲ ୧୧୫.୪୭ ଟଙ୍କା ହୋଇଛି।
ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ୯୯.୫୧, ଡିଜେଲ୍ ୯୨.୪୯ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ୧୧୦.୬୪, ଡିଜେଲ୍ ୯୭.୦୨ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୧୦୮.୪୯, ଡିଜେଲ ୯୫.୦୨ ଟଙ୍କା ହୋଇଛି। ଚେନ୍ନାଇରେ ପେଟ୍ରୋଲ ୧୦୫.୩୧, ଡିଜେଲ ୯୬.୯୮ ଟଙ୍କା ହୋଇଛି।
ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିର ଅଭାବ ଏକ ନୂତନ ଯୁଦ୍ଧର ସମ୍ଭାବନା ସୃଷ୍ଟି କରିଛି। ହର୍ମୁଜ ପ୍ରଣାଳୀ ଅବରୋଧିତ ରହିଛି, ଯାହା ଭାରତକୁ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତେଲ ପାଇବାରୁ ବାଧା ଦେଉଛି।
Powered by Froala Editor